ବୋଇତ ବନ୍ଦାଣ
ବୋଇତ ବନ୍ଦାଣ
ଓଡିଆ ଘରର ପର୍ବ ପରମ୍ପରା
ବାର ମାସେ ତେର ହୁଏ
ତାହାରି ଭିତରେ ବୋଇତ ବନ୍ଦାଣ
ପୁରୁଣା ସଂସ୍କୃତି ଇଏ ।
ଆଗକାଳରେ ତ ସାଧବମାନେ ଯେ
ବୋଇତରେ ଯାଉ ଥିଲେ
ଦେଶ ବିଦେଶରେ ବାଣିଜ୍ୟ ସେ କରି
ଧନ ରତ୍ନ ଆଣୁ ଥିଲେ ।
ଯାଉଥିଲେ ସିଏ କାର୍ତ୍ତିକ ପୁଣି
ଫେରୁ ଥିଲେ ଆଷାଢରେ
ସାଧବ ବୋହୁଏ ବନ୍ଦାଉଣ ଥିଲେ
ଯାଇ ସମୁଦ୍ର ତଟରେ ।
ହସ୍ତେ ଧରି ସିଏ ବନ୍ଦାଣ ଥାଳିଟି
ହୁଳ ହୁଳି ଦେଉଥିଲେ
ନାରିକେଳ ସାଥେ ଧୂପ ଦୀପ ଜାଳି
ବନ୍ଦାପନା କରୁଥିଲେ ।
ସେ ବୋଇତ ବନ୍ଦାଣ ଏବେବି ସମସ୍ତ
ହୃଦୟ ମନରେ ଅଛି
ଖୁଲଣା ସୁନ୍ଦରୀ ସ୍ବାମୀ ଧନେଶ୍ବର
କଥା କେ ଭୁଲି ପାରିଛି ।
ଅପୁତ୍ରିକ ବୋଲି ହାଡି କହନ୍ତେଣ
ନିଜ ରାଜ୍ୟ ଛାଡି ଗଲେ
ସମୁଦ୍ର ଜଳରେ ବୋଇତ ମେଲି ସେ
ଦୂର ଦେଶ ଚାଲି ଜଲେ ।
ହୃଦେ ଜଗନ୍ନାଥ ସୁମରିଲେ ଯେବେ
ମଙ୍ଗଳ କ୍ରୋଧିତ ହେଲେ
ସାଗର ଜଳରେ ପଦ୍ମ ଫୁଲ ଦେହେ
ମାତା ବିରାଜ କରିଲେ ।
ଏହି କଥା ଧନେଶ୍ବର କହନ୍ତେଣ
ରାଜା ଆସି ପ୍ରବେଶିଲେ
ରାଜା ଆସିବାର ଦେଖି ମା ମଙ୍ଗଳା
ଜଳୁ ଅନ୍ତର୍ଦ୍ଧାନ ହେଲେ ।
ମିଛ କହୁଛନ୍ତି ଧନେଶ୍ବର ଭାବି
ରାଜା ବନ୍ଦୀ କରି ନେଲେ
ଶ୍ରୀଧର କୁମର ଯାଇ ବୋଇତରେ
ପିତାଙ୍କୁ ଆଣିଣ ଥିଲେ ।
ଖୁଦୁରୁକୁଣୀରେ ତଅପୋଇ ସାତ
ଭାଇ ବୋଇତରେ ଗଲେ
ସାତ ବୋହୁ ଯାଇ ସାଗର ତୀରରେ
ବୋଇତ ବନ୍ଦାଣ କଲେ ।
ସାଥେ ତଅପୋଇ ନେଇ ଯାଇଥିଲେ
ଶ୍ରଦ୍ଧା, ସ୍ନେହ, ମମତାରେ
ରାଣ୍ଡି ବ୍ରାହ୍ମଣୀର ଚକରରେ ପଡି
ଅନୁଭ ଦେଲେ ସେ ଘରେ ।
ଖାଇବା ପିଇବା କିଛି ଦେଲେ ନାହିଁ
ବଣେ ଛେଳି ଜଗାଇଲେ
ସାନ ବୋହୁ ପାଳି ଦିନ ତଅପୋଇ
ଖାଇବାକୁ ପାଉଥିଲେ ।
ମାଆ ମଙ୍ଗଳାକୁ କରି ସୁମରଣା
ଖୁଦୁରୁକୁଣୀ ସେ କଲେ
ସେଇ ବୋଇତରେ ସାତ ଭାଇ ଫେରି
ଭଉଣୀ କଷ୍ଟ ଦେଖିଲେ ।
ବୋଇତ ଭିତରେ ରଖି ତଅପୋଇ
ଘରକୁ ବାରତା ଦେଲେ
ତଅପୋଇ ନେଇ ବୋଇତ ବନ୍ଦାଣ
କରିବ ଆସ ବୋଇଲେ ।
ନିଜକୁ ବଞ୍ଚେଇ ମିଛ କହି ସିଏ
ମଙ୍ଗେ ବୋଇତ ବନ୍ଦିଲେ
ମଙ୍ଗ କୋଣେ ମଙ୍ଗଳାଙ୍କ ସାଥେ ଥାଇ
ନାକମାନ କାଟି ଥିଲେ ।
ସାନ ବୋହୁ ଦେଖି ହସ୍ତୁ ଛୁରୀ ଫିଙ୍ଗି
ମଙ୍ଗଳାଙ୍କୁ ସୁମରିଲେ
ମଙ୍ଗ କୋଣେ ମା ମଙ୍ଗଳା ବିରାଜ
କିବଦନ୍ତୀ ଅଛି ଭଲେ ।
ମହା କାର୍ତ୍ତକର ପୁଣ୍ୟ ଧର୍ମ ମାସେ
ବୋଇତ ବନ୍ଦାଣ ହୁଏ
ଆ କା ମା ବୈ ହୃଦେ କହି
ଡଙ୍ଗା ସେ ଭସାଉ ଥାଏ ।
ସେଇ ପରମ୍ପରା ଏବେବି ରହିଛି
ପ୍ରତି ଓଡିଆଙ୍କ ଘରେ
କାର୍ତ୍ତିକ ପୂର୍ଣ୍ଣିମା ଦିନ ବୁଡ ଦେଇ
ଡଙ୍ଗା ଭସାଏ ଜଳରେ ।
ହୁଳହୁଳି ଧୂପ ଦୀପ ଆଲୋକରେ
ଜଳାଶୟ ହସୁଥାଏ
ଶହ ଶହ ଡଙ୍ଗା ବୋଇତ ଜଳରେ
ଭାସି ମନ ମୋହି ନିଏ ।
ଏ ବୋଇତ ବନ୍ଦାଣ ଏବେବି ଓଡିଆ
ଘରେ ପ୍ରଥା ପ୍ରଚଳିତ
ଚରଣେ ଶରଣ ଦେବୁଲୋ ଜନନୀ
ପାଦେ କରେ ପ୍ରଣିପାତ ।