ଭୁଲ୍ ମଣିଷଟେ ମୁଁ
ଭୁଲ୍ ମଣିଷଟେ ମୁଁ


ତୋ' ଦୁନିଆରେ ଭୁଲ ମଣିଷଟେ
ମୁଁ ଆଜିରେ ହୋଇଗଲି
ଦୋଷ ତ ନ କରି ଲୋକଙ୍କ ଆଖିରେ
ଭୁଲ୍ ପ୍ରମାଣିତ ହେଲି ।
କେତେ ଭଲ ମୋତେ ପାଉଅଛୁ ତୁହି
ସମସ୍ତଙ୍କୁ କହୁଥିଲି
ସେଇଟା ମୋହର ଭ୍ରମ ଥିଲା ବୋଲି
ଆଜି ମୁହିଁ ବୁଝି ଗଲି ।
ଭରସା ମୁଁ କରି ତୋର ହାତ ଧରି
ବାଟ ମୁହିଁ ଚାଲୁ ଥିଲି
ସେଇଟା ତ ସତ ନ ଥିଲା ତୋହର
ଆଜି ତାହା ଜାଣି ଗଲି ।
ନିଜେ ଜଳି ଜଳି ଅନ୍ୟ ଓଠେ ହସ
ଦେବାଟା ମୁଁ ଶିଖି ଥିଲି
ସେଇଟା ତୋହରି ସ୍ବାର୍ଥ ଥିଲା ବୋଲି
ନା ତା ଜାଣି ପାରି ଥିଲି ।
ନିଜ ସୁଖକୁ ମୁଁ ବଳି ଦେଇ ଅନ୍ୟ
ସୁଖ ପାଇଁ ଲଢୁ ଥିଲି
ସେ ଜାଲରେ ନିଜେ ଫସି ଯିବି ବୋଲି
ନା କେବେ ମୁଁ ଭାବି ଥିଲି ।
ନିଜ ଆଖି ଲୁହ ସାଥି କରି ମୁଁ
ହସ ଦେଇ ଚାଲି ଥିଲି
ସେଇ ହସ କାଳ କୂଟ ସାଜି ଗଲା
ନିନ୍ଦାରେ ଚର୍ଚ୍ଚିତ ହେଲି ।
କଳଙ୍କର ଟିକା ମଥାରେ ବୋହି ମୁଁ
କଳଙ୍କିତ ହୋଇଗଲି
ଭୁଲ୍ ମଣିଷେଟେ କେମିତି ହେଲିରେ
ନିଜକୁ ପଚାରୁ ଥିଲି ।
ସତ୍ୟ ସଚ୍ଚୋଟର ପଥରେ ଚାଲିବା
ଛୋଟ ବେଳୁ ଶିଖି ଥିଲି
ସତ କହି ଆଜି ଦଣ୍ଡିତ ହେଉଛି
କି ଭୁଲ୍ ରେ ମୁହିଁ କଲି ।
କିଛି ନ କରି କି କିଛି ନ କହି କି
ସବୁ ଦୋଷ ମୁଣ୍ଡେଇଲି
ସତ କହି ମିଛ ପ୍ରମାଣିତ ହୋଇ
ବିଶ୍ୱାସ ହରେଇ ଦେଲି ।
ଶେଷ ନିଃଶ୍ବାସରେ ଏବେ ବି କହୁଛି
ନା ମିଛ ମୁଁ କହି ଥିଲି
ସ୍ବାର୍ଥକୁ ଆଖିର ଆଗରେ ରଖି ମୁଁ
ନା ସମ୍ପର୍କ ରଖି ଥିଲି ।
ମିଛ ଦୁନିଆରେ ମିଛ ମଣିଷଟେ
ଆଜିରେ ମୁଁ ସାଜିଗଲି
ଛଳନା କପଟ ଚକ୍ରବ୍ୟୁହେ ଫଶି
ଭୁଲ୍ ମଣିଷଟେ ହେଲି ।
ବଞ୍ଚିବାକୁ ଇଚ୍ଛା ନାହିଁ ଆଜି ତୋତେ
ସତ ଖୋଲି କହି ଦେଲି
ମରିବା ଆଗରୁ ପଚାରେ କାହିଁକି
ଭୁଲ୍ ମଣିଷଟେ ହେଲି ?
କେଉଁ ଭୁଲ୍ ପାଇଁ ଏ ଦଣ୍ଡରେ ଆଜି
ଦଣ୍ତିତ ମୁଁ ହୋଇଗଲି
ଭୁଲ୍ ମଣିଷଟେ ହେଇରେ ଆଜି ମୁଁ
ମଶାଣୀରେ ଶୋଇ ଗଲି ।