ଭକତି କୁସୁମାଂଜଳି
ଭକତି କୁସୁମାଂଜଳି


କାକର ବିନ୍ଦୁରେ, ଅସୀମ ସିନ୍ଧୁରେ
ରହିଛି ତୁମରି ଭିତ୍ତି,
ବିଦେହେ, ବିଗ୍ରହେ, ଦେହେ, ଦେବାଳୟେ,
ସବୁଠାରେ ତୁମ ସ୍ଥିତି । [୧]
ସୂରୁଯ, ଚନ୍ଦ୍ରମା, ରାତି, ଦିନ, ସବୁ
ତୁମରି ଆଦେଶେ ଚଳ,
ବିପଦ, ଆପଦ, ଆଶୀର୍ବାଦ, ଶାପ,
ତୁମ ଇଙ୍ଗିତର ଖେଳ । [୨]
ଆଖି ଖୋଲି ଦେଖେ, ତୁମେ ତୁମ ଗଢା
ଜଗତେ ରହିଛ ପୂରି,
ଆଖି ବୁଜିଦେଇ ଅନ୍ତରେ ଝାଙ୍କିଲେ
ପୂରିଛ ଶୂନ୍ୟ ବିହାରୀ । [୩]
ସବୁ ଜାଣି ଶୁଣି କସ୍ତୁରି ସନ୍ଧାନେ
ମନମୃଗ ହୁଏ ବାଇ ,
ମରୁଝର ଭ୍ରମେ ପଥିକ ଯେସନେ
ମରିଚୀକା ପଛେ ଧାଇଁ । [୪]
ମିଳନ ଆକୁଳେ ବିକଳ ପରାଣେ
ଶୂନ୍ୟ ଆକାଶର ତଳେ,
ଭକତି କୁସୁମେ ଅଂଜଳି ଭରି ମୁଁ
ସମର୍ପିଲି ପାଦ ତଳେ । [୫]
ପରଶମଣି ହେ! ତୁମ ସ୍ନେହ ସ୍ପର୍ଶ
ରହିଥାଉ ମୋ ହୃଦରେ,
ଦିବ୍ୟ ଚେତନାରେ, ପ୍ରଶାନ୍ତ ଚିତ୍ତ ମୋ
ଗାଉଥାଉ ନାମ ତୋରେ । [୬]
***********************