ମମତାମୟୀ ମା
ମମତାମୟୀ ମା
ତୁମରି ଗର୍ଭରେ ଦଶ ମାସ ରହି
ନିଭୃତ କୋଠରୀ ଡେଇଁ
ପୃଥିବୀର ବକ୍ଷ ଛୁଇଁବା ମାତରେ
ତୁମକୁ ଦେଖିଲି ମୁହିଁ ।
ମୋର କୁଆଁ କୁଆଁ ଶବଦରେ ତୁମ
ପୁଲକି ଉଠିଲା ପ୍ରାଣ
ଭୂଲି ଗଲ ତୁମେ ସକଳ ଯାତନା
କରିଲ ଅମୃତ ଦାନ ।
ମୋ ସେବା ଶୁଶ୍ରୁଷା ଲାଳନ ପାଳନେ
କଟେ ତୁମ ରାତି ଦିନ
କେତେ ବର୍ଜ୍ୟ ମୋର କରିଛ ଧଉତ
ମଣି ନାହଁ କେବେ ଘୃଣ୍ୟ ।
ତୁମେ ମାତା ଧାତ୍ରୀ ଆଦ୍ୟ ଶିକ୍ଷୟତ୍ରୀ
ତୁମେ ଭଗବତ ଗୀତା
ଯେତେ ପଢୁଥିଲେ ସରେ ନାହିଁ ତୁମ
ମମତାର ପରିଭାଷା ।
ତୁମ ହାତ ରନ୍ଧା ବଡ଼ି ସନ୍ତୁଳାକୁ
ବିରୀୟାନୀ ନୁହେଁ ସରି
ତୁମ ପଣତ ର ଶୀତଳ ଛାଇ କୁ
ଏ. ସି ମଧ୍ୟ ଯାଏ ହାରି ।
ତୁମେ ମହୋଷଧି ସକଳ ବ୍ୟାଧିର
ରୋଗର ନିଦାନ ତୁମେ
ତୁମେ ପଢ଼ି ପାର ଛାତି ତଳ ଦୁଃଖ
ଲୁହ ଚିହ୍ନି ପାର ତୁମେ ।
ତୁମେ ଦେଇ ଜାଣ ନିଃସ୍ୱାର୍ଥରେ ଦାନ
ନରଖି ପାଇବା ଆଶା
ଜଳୁ ଥାଅ ତୁମେ ସଳିତା ପରା ଏ
ଦେଖାଇ ଆଲୋକ ଦିଶା ।
ଶୁଝି ନାହିଁ କେହି ମାଆର ମମତା
ବୁଝିନି ମରମ ବ୍ୟଥା
ପୃଥିବୀ ଠୁ ବଳି ବିଶାଳ ତା ହୃଦ
ଆପେ ନଇଁ ଯାଏ ମଥା ।
ମାଆ ର ସେନେହ ଅତୀବ ଅତୁଳ
ଅଟେ ସେ ମାମତାମୟୀ
ସାରା ଦୁନିଆଁର ସବୁ ତିକ ଚିଜ
ଏକତ୍ରେ ତା ସମ ନୋହି ।
