ଶେଷ ଠିକଣା
ଶେଷ ଠିକଣା


ଜୀବନ ତ ଥିଲେ ମରଣ ତ ଅଛି
ଅଛି ତା ଶେଷ ଠିକଣା
ସେ ଶେଷ ଠିକଣା ସାଥେ ରହି ଥାଏ
ହୁଏ ଖାଲି ବାଟ ବଣା ।
ଜନମ ସାଥିରେ କପାଳରେ ଏହା
ଲେଖି ଦେଇଅଛି ବିହି
ଯିଏ ଯେତେ ବଡ ହେଉନା କାହିଁକି
ମୃତ୍ୟୁ ପାଖେ ଥାଏ ରହି ।
ମୃତ୍ୟୁକୁ ନା କିଏ କେବେ ଜିତି ଥାଏ
ବଡ ସାନ ସେ ମାନେନା
କଞ୍ଚା ପାଚିଲା ସେ କିଛି ଦେଖେ ନାହିଁ
କାହାକୁ ବି ସେ ଛାଡେନା ।
ପାପ ପୁଣ୍ୟ ଏଠି ବିଚାର ହୁଅଇ
ଭୋଗିବାକୁ ପଡେ ସବୁ
କାଳର ପାଖରେ ଏଇତ ମଣିଷ
ହେଇ ଯାଇଥାଏ କାବୁ ।
ଆସି ଅଛେ ଏକା ଚାଲି ଯିବା ଏକା
ସାଥିରେ ଯିବେନି କେହି
ପାପ ପୂଣ୍ୟ ଦୁଇ ସାଥେ ରହି ଥିବେ
ତଉଲା ହୋଇବେ ସେହି ।
ଚିତ୍ରଗୁପ୍ତ ପାଞ୍ଜି ଦେଖି କହିଦେବେ
ଦଣ୍ଡ ଦେବେ ଜନ୍ତୁପତି
ଯିଏ ଯୋଉ କର୍ମ କରି ଯାଇ ଥିବ
ଯମ ଦେବେ ନିଶ୍ଚେ ଶାସ୍ତି ।
ସବୁ ଜୀବନରେ ଶେଷ ଠିକଣା ବି
ଅଲଗା ଅଲଗା ହୁଏ
ସବୁ ଜୀବନର ବଞ୍ଚିବାର ଧାରା
ଠିକଣାରେ ଲୁଚି ଥାଏ ।
ସକାଳରେ ସୂର୍ଯ୍ୟ ଉଦୟ ହେଇଣ
ସନ୍ଧ୍ୟାରେ ଅସ୍ତ ଯାଆନ୍ତି
ଦିନର ଠିକଣା ଶେଷ ହୁଏ ବୋଲି
ସୂଚନା ସିଏ ଦିଅନ୍ତି ।
ସନ୍ଧ୍ୟା ଆସିଗଲେ ସନ୍ଧ୍ୟାତାରା ପୁଣି
ସନ୍ଧ୍ୟାର ଠିକଣା ଦିଏ
ସନ୍ଧ୍ୟା ଚାଲିଗଲେ ଆକାଶର ଚାନ୍ଦ
ରାତିର ଠିକଣା ଦିଏ ।
ପାହାନ୍ତିର କୁଆଁତାରା ସୁନ୍ଦୂରାଟି
ପ୍ରଭାତ ଠିକଣା ଦିଏ
ଆକାଶରେ କଳା ବଉଦ ଘୋଟିଲେ
ବରଷା ଠିକଣା ଦିଏ ।
ଦିନ ସରି ଯାଏ ରାତି ଚାଲିଯାଏ
ଚାଲି ଯାଇଥାଏ ବର୍ଷ
ନୂତନ ବରଷ ଠିକଣା ଦେଇ ସେ
ପୁରୁଣା କରଇ ଶେଷ ।
ଜୀବନର ଚଲା ରାସ୍ତାରେ ବି କିଛି
ନିଜର ଠିକଣା ଥାଏ
ଯିଏ ଯେତେ ଦୂର ଯାଉନା କାହିଁକି
ଠିକଣାକୁ ଖୋଜେ ସିଏ ।
ଭକତଟି ସଦା ପ୍ରଭୁଙ୍କ ଠିକଣା
ହୃତୟରେ ଖୋଜୁଥାଏ
ଜୀବନର ଶେଷ ସମୟ ଠିକଣା
ମଶାଣୀ ଭୂଇଁଟି ହୁଏ ।
ପ୍ରତି ଜୀବନରେ ଶେଷ ଯବନିକା
ଶେଷ ଠିକଣା ତ ଏହି
ମଶାଣୀ ଜୁଇର ମୁଠାଏ ପାଉଁଶ
ଏଇ କଥା ଦିଏ କହି ।