STORYMIRROR

Lata Behera

Abstract

4  

Lata Behera

Abstract

ଅତୀତ ସ୍ମତିରୁ କହିବା ପଦେ

ଅତୀତ ସ୍ମତିରୁ କହିବା ପଦେ

2 mins
14



ଅତୀତ ସ୍ମୁତିର କବିତା ମାଳାରେ

    ଆଜି ରଜଦୋଳି ଗୀତ

ସାଉଁଟି ଆଣୁଛି ସାହିତ୍ୟ ସଂସଦ

    ମନ ହୁଏ ପୁଲକିତ ।


ମନେ ପଡେ ସେଇ ଆମ୍ବ ତୋଟା ମାଳ

   ରଜ ଦୋଳି ଝୁଲା ଗୀତ

ଗୀତ ତାଳେ ତାଳେ ଦୋଳି ଝୁଲୁ ଥାଏ

    ଦେହ ହୁଏ ଉଲ୍ଲସିତ ।


ଦୁଇ ପଟେ ଦୁଇ ଜଣ ବାହୁ ଥାନ୍ତି 

   ମଝିରେ ବସନ୍ତି ସେ ତ

ଏ ଡାଳ ସେ ଡାଳ ବାଜି ଯାଏ ଯେବେ

    ମନ ହୁଏ ଭୟଭୀତ ।


ରଖ ରଖ ଦୋଳି କହି ଡାକୁ ଥାନ୍ତି 

    କରନ୍ତିନି କର୍ଣ୍ଣପାତ

ଥଟ୍ଟା ମଜା କରି ଜୋରରେ ବାହାନ୍ତି

   ଗାଇ ସେ ଅନେକ ଗୀତ ।


ପୁର ଦିଆ ମୁଆଁ ପିଠା ଖାଉଥାନ୍ତି

    ହସି ଗାଉଥାନ୍ତି ଗୀତ

ପାଣି ଢୋକେ ଢୋକେ ପିଉଥାନ୍ତି ଖାଇ

    ପୋଡ ପିଠା ଧରି ହାତ ।


ପାଟିରେ ପକାଇ ରଜ ଖିଲି ପାନ

    ସଜ ହୋଇଥାନ୍ତି ସେ ତ

ନୂଆ ବସ୍ତ୍ର ପିନ୍ଧି ଦୋଳି ଖେଳୁଥାନ୍ତି 

   ନା ଆସି ଖାଆନ୍ତି ଭାତ ।


ଯିଏ ଯେତେ ଡାକୁ ଶୁଣନ୍ତିନି କେହି

   ପିଠା ନିଅନ୍ତି ସଙ୍ଗତ

ପିଠା ଖାଇ ଖାଇ ଦୋଳି ଖେଳୁ ଥାନ୍ତି

    ଗୀତରେ ମନ ଉସତ ।


ବୋହୂମାନଙ୍କର ଓଢଣୀ ଖସିଲେ

   ଟାହି ଟାପରାର ଗୀତ

ଥନ୍ତଲ ପେଟକୁ ଦେଖିଲେ କାହାର

   ଢଗରେ ଗାଆନ୍ତି ସେ ତ ।


ସମସ୍ତଙ୍କ ପାଇଁ ଗୀତ ଗାଉଥାନ୍ତି 

   ଗଛେଇ ଗଛେଇ ସେ ତ

ତିନି ଦିନ ଧରି ଦୋଳି ଖେଳି ସିଏ

    ଗୀତରେ ହଜାନ୍ତି ଚିତ୍ତ ।


ସେଇ ବରଗଛ ଆମ୍ବ ତୋଟା ମାଳ

    ହୋଇଛି ଆଜି ଅତୀତ 

ବୃକ୍ଷକୁ କାଟିଣ ଏଇତ ମାନବ

    ଖୁସିରୁ ହୁଏ ବଞ୍ଚିତ ।


ଦେଖା ଯାଉ ନାହିଁ ସେଇ ଆତ୍ମୀୟତା 

    ସେଇ ରଜଦୋଳି ଗୀତ

ସେନେହ ମମତା ଫିକା ଫିକା ଲାଗେ

ଭାବି ଲାଗୁଛି ବିସ୍ମିତ । 


ତଥା

ପି ଏବେବି ହୃଦୟ ଇଲାକୁ

   ଭାସେ ରଜ ଦୋଳି ଗୀତ

ଅତୀତରେ ଥିଲା ଏବେବି ରହିଛି

    ରହିବ ସେ ଭବିଷ୍ୟତ ।  


*ରଜ ଦୋଳି ଗୀତ:-*

ଡେରିଲି ଗଉରୀ ବେତ

ସର୍ବ ମଙ୍ଗାଳାଙ୍କୁ ମୋ ଦଣ୍ଡବତ 

ବଉଳଲୋ

ଆରମ୍ଭିଲା ଦୋଳି ଗୀତ ।

ବଉଳଲୋ ।


ରଜ ଦୋଳି କଟମଟ

ମୋ ଭାଇ ମୁଣ୍ଡରେ ସୁନା ମୁକୁଟ

ସୁନା ମୁକୁଟଲୋ 

ଦିଶୁଥାଏ ଝକମକ 

ମୋ ଦୋଳିଲୋ ।


ପାଚିଲା ଆମ୍ବରୁ ଫାଳେ

କାହା ଘର ବୋହୂ ଛିଡା ହୋଇଛ ଲୋ

ଓଢଣୀ ଖସିଛି ତଳେ ।

ମୋ ଦୋଳିଲୋ 


କଇଁଆ ଗଛଟି ମଲା

ଏଇକଡେ କିଏ ସାଇକେଲ୍ ନେଲା 

ସାଇକେଲ୍ ନେଲା ଲୋ 

ଅତର ବାସନା ଦେଲା ।

ମୋ ଦୋଳିଲୋ ।


ସଜନା ମୂଳେ ପାଉଁଶ 

ଆମ ଗାଆଁ ଭେଣ୍ଡିଏ ଗାତରେ ପଶ 

ଗାତରେ ପଶଲୋ 

ମାଇ ପେ ଛାଡିବେ ନିଶ ।

ମୋ ଦୋଳିଲୋ ।


କଇଁଆ ପତର ସରୁ 

ତୋତେ ନେଇଯିବି ସମ୍ବଲପୁରୁ

ସମ୍ବଲପୁରୁଲୋ 

ଧାନ କଟାକୁଟି ସରୁ 

ମୋ ଦୋଳିଲୋ ।


ବନସ୍ତେ ଡାକିଲା ଗଜ

ବରଷକେ ଥରେ ଆସିଛି ରଜ 

ଆସିଛି ରଜ ଲୋ 

ଘେନି ହୁଅ ସଜବାଜ ।


ଲଙ୍କ ମାରିଚଟି କଷି

ପଧାନ ଝିଅଟି ଷୋଳ ବୟସୀ

ଷୋଳ ବୟଷୀଲୋ

ପିଣ୍ଡାରୁ ପଡିଲା ଖସି ।


କୂଅରେ ପଡିଲା ମାଛି

ସରୁଚୂଡା ଖାଇ ଘଇତା ବାଛି

ଘଇତା ବାଛିଲୋ 

ଉପର ସାଇରେ ଅଛି ।

ମୋ ଦୋଳିଲୋ ।


କୁଅରେ ପଡିଲା ବାଟି

ଆଉ ଦିନେ ବାଟି ପଡିବୁ ନାହିଁରେ

ମୋ ଭାଇ ଖେଳିବ ବାଟି ।


ରଜ ଦୋଳି ଝୁଲିଲାଣି

ଖେଳିବାକୁ ଯିବା ସାଙ୍ଗ ଭଉଣୀ

ସାଙ୍ଗ ଭଉଣୀଲୋ

ବେଳ ଉଛୁର ହେଲାଣି ।


ଅଳତା ପାଦେ ନାଇଣ

ଆଖିରେ ମାଖିବା କଳା ଅଞ୍ଜନ

ବଉଳଲୋ 

ବେଣୀ ବାନ୍ଧିବା କରି ଯତନ ।

ବଉଳଲୋ ।


ରଜ ଦୋଳି ଖେଳୁଥିଲି 

ବାପା ଡାକିଦେଲେ ଯଶୋଦା ବୋଲି 

ଯଶୋଦା ବୋଲି ଲୋ

ଦୋଳିରୁ ଖସି ପଡିଲି ।

ବଉଳଲୋ ।


ପୋଡ ପିଠା କ୍ଷୀରି ପୁରି

ଖାଇବା ମିଶିଣ ସରୁ ଚକୁଳି

ବଉଳଲୋ

ରଜ ଚାରି ଦିନ ଯିବ ସରି ।

ବଉଳଲୋ ।



Rate this content
Log in

Similar oriya poem from Abstract