ପରଂବ୍ରହ୍ମ
ପରଂବ୍ରହ୍ମ


ପରଂବ୍ରହ୍ମ ସେଇ ପ୍ରଭୁ ନାରାୟଣ
ଅନାଦି ଅନନ୍ତ ସେହି
ଦୟାମୟ ସିଏ କରୁଣା ବାରିଧି
ଭକତର ଭାବଗ୍ରାହୀ ।
ଭକତ ପ୍ରେମରେ ଭୋଳ ହୋଇଥାନ୍ତି
ଭକତ ଜୀବନ ସେହି
ଭକତଙ୍କୁ ରକ୍ଷା କରିବାର ପାଇଁ
ଅବତାର ନ୍ୟନ୍ତି ମହୀ ।
ଅନ୍ୟାୟ ଅଧର୍ମ ବିନାଶର ପାଇଁ
ଅସ୍ତ୍ର ଧରି ଥାନ୍ତି ସେହି
ପାପୀଙ୍କୁ ବିନାଶି ସାଧୁଙ୍କୁ ରଖନ୍ତି
ଭକତର ଭାବଗ୍ରାହୀ ।
ପାପ ଭାର ଯେବେ ବଢି ଯାଇଥାଏ
ସହି ପାରେ ନାହିଁ ମହୀ
ବିକଳେ କାନ୍ଦିଣ ଶରଣ ପଶନ୍ତି
ରକ୍ଷା କରୁ ଥାଉ ତୁହି ।
ସତ୍ୟ ସନାତନ ତୁମେ ଦାରୁବ୍ରହ୍ମ
ଅନନ୍ତ ଗୋପାଳ ତୁହି<
/p>
ତୁହି ଗତି ମୁକ୍ତି ଭରି ଦିଅ ଶକ୍ତି
ରକ୍ଷା କର ଦୟା ବହି ।
ତୁମେ ନ ରଖିଲେ ଏଇ ଜଗତକୁ
ରଖି ପାରିବେନି କେହି
ସତ୍ୟ ସନାତନ ଦୂରିତ ଖଣ୍ଡନ
ଏ ପାପରୁ କର ତ୍ରାହି ।
ଅନ୍ୟାୟ ଅଧର୍ମ ଅସତ୍ୟ ପଥରେ
ନର ମାତେ ଗର୍ବ ବହି
ଗରବ ଗଞ୍ଜାନ ପତିତପାବନ
ବାନା ଉଡେ ତୋର ମହୀ ।
ଆହେ ନାରାୟଣ ପାଦରେ ଶରଣ
ଆଶ୍ରୟ ନେଉଛି ମୁହିଁ
ଯୁଗ ଯୁଗ ପାଇଁ ଆହେ ଭାବଗ୍ରାହୀ
ସାଥେ ଥିବୁ ମୋର ରହି ।
ଯାହା ତୁ କରିବୁ ସବୁ ତୋର ଇଚ୍ଛା
ମୋର କିଛି ପ୍ରଭୁ ନାହିଁ
ଆଜି ଯଦି ଦୁନିଆରେ ବଞ୍ଚି ଅଛି
ତୋହରି ପାଇଁ ତ ମୁହିଁ ।