ବନ୍ଧନ
ବନ୍ଧନ
ପବିତ୍ର ବନ୍ଧନ ଛିଣ୍ଡେ ନାହିଁ କେବେ
ସର୍ବଦା ଯେ ରହିଥାଏ
ଅତୁଟ ଅଟଇ ପବିତ୍ର ବନ୍ଧନ
ନା କେବେ ତୁଟି ଥାଏ ।
ଯୁଗ ପରେ ଯୂଗ ବିତି ଯାଇ ଥାଏ
ଇଏ ସଦା ଥାଏ ରହି
ପବିତ୍ର ବନ୍ଧନ ପବିତ୍ର ସମ୍ପର୍କ
ଆଗରୁ ଗଢିଛି ବିହି ।
ସ୍ବାମୀ ସ୍ତ୍ରୀଙ୍କର ପବିତ୍ର ବନ୍ଧନ
ସାତ ଜନ୍ମ ପାଇଁ ଥାଏ
ଅଗ୍ନି ସାକ୍ଷୀ ରଖି ନ୍ୟନ୍ତି ସାତଫେରା
ଦୁଃଖ ସୁଖ ସାଥି ସିଏ ।
ଏମିତି ବନ୍ଧନେ ବାନ୍ଧି ହେଇଥାନ୍ତି
ଛିଣ୍ଡେ ନାହିଁ ସେହି ଡୋର
ବିଶ୍ବାସ ଭରସେ ଚାଲିଥାନ୍ତି ହାତ
ଛାଡନ୍ତିନି ସେ କାହାର ।
ପୁରାଣେ ଚର୍ଚ୍ଚିତ ସାବିତ୍ରୀ କାହାଣୀ
ତାକୁ ନ ଜାଣିଛି କିଏ
ସତୀତ୍ବ ବଳରେ କାଳଯମ ଫାଶୁ
ଜୀବନ ଆଣିଲେ ସିଏ ।
ମାଆର ମମତା ବନ୍ଧନ ଡୋରଟି
ହୃଦୟରେ ରହିଥାଏ
ସନ୍ତାନର ପାଇଁ ନିଜ ଖୁସିକୁ ସେ
ହସି ହସି ବଳି ଦିଏ ।
ଟୀକା ଗୋବିନ୍ଦ ଚନ୍ଦ୍ର କରେ ପ୍ରମାଣିତ
ନିମଡୋହି ରାଣୀ କଥା
ସନ୍ତାନ ଜୀବନ ସୁରକ୍ଷା ପାଇଁ ସେ
ଯୋଗୀ କରିବାର ଗାଥା ।
ହାଡିପା ହାତରେ ବିକ୍ରି କରି ଦେଲେ
ସନ୍ତାନ ଜୀବନ ପାଇଁ
କେତେ ଯେ ଯନ୍ତ୍ରଣା ସହି ଥିଲେ ସିଏ
ବର୍ଣ୍ଣନା ନା କରି ହେଇ ।
କୈକେୟୀଙ୍କ କଥା ନ କହିବା ଭଲ
ରାମ ତ ଜୀବନ ଧନ
ବନବାସ ଦେଲେ ନା ମୁହଁ ଖୋଲିଲେ
ରଖିଲେ ରାମ ଜୀବନ ।
ରାମ କୈକେୟୀଙ୍କ ଏ ବନ୍ଧନକୁ ନା
ଜାଣି ପାରିଲା କିଏ
ନିନ୍ଦିତ ଚର୍ଚ୍ଚିତ ହୋଇ ଥିଲେ ସିଏ
ରାମାୟଣେ ଲେଖା ଇଏ ।
କାହ୍ନୁର ସ୍ନେହର ବନ୍ଧନେ ଯଶୋଦା
&
nbsp;ନିଜକୁ ସେ ଭୁଲି ଥିଲେ
ରଙ୍କୁଣୀ ରତନ ମୋ ଗଳା ରତନ
କହି ବାଟ ଚାହୁଁ ଥିଲେ ।
ସାରା ଗୋପବାସୀ କାହ୍ନୁର ପ୍ରେମର
ବନ୍ଧନେ ଥିଲେ ସେ ବନ୍ଦୀ
ରାଧା ସାଥେ ଷୋଳ ସହସ୍ର ଗୋପୀ କାହ୍ନୁ
ବାହୁ ବନ୍ଧନରେ ଛନ୍ଦି ।
ଗୋପ ବୃନ୍ଦାବନେ କରୁ ଥିଲେ ଲୀଳା
ହାତରେ ମୂରଲୀ ଧରି
କରୁଥିଲେ ରାସ ବିଭିନ୍ନ ଢଙ୍ଗରେ
ମାରି ରଙ୍ଗ ପିଚିକାରୀ ।
ଭକ୍ତ ଭଗବାନ ଭାବର ବନ୍ଧନ
ସଦା ସର୍ବଦା ଯେ ଥାଏ
ଭାବକୁ ନିକଟ ଅଭାବକୁ ଦୂର
ଭାବ ବିନୋଦିଆ ସିଏ ।
ବିଶ୍ବାସ ଭରସା ବନ୍ଧନଟି ସଦା
ଚିରସ୍ଥାୟୀ ରହି ଥାଏ
ଥରେ ଭାଙ୍ଗି ଗଲେ ନା ସେ ଜୀବନେ
ଆଉ କେବେ ଯୋଡି ହୁଏ ।
ବନ୍ଧନ ଅଟଇ ଏମିତି ଗୋଟିଏ
ଦୁଃଖ ସୁଖ ସାଥିଟିଏ
ବାନ୍ଧି ତ ଜାଣିଲେ ଚିର ଦିନ ରହେ
ନ ହେଲେ ସେ ତୁଟି ଯାଏ ।
ପ୍ରକୃତ ବନ୍ଧନ ଛିଣ୍ଡି ଯାଏ ଯେବେ
ହୃଦୟକୁ ବାଧି ଥାଏ
ସହି ହୁଏ ନାହିଁ କହି ହୁଏ ନାହିଁ
ଆଖି ଲୁହ ବହି ଯାଏ ।
ଛଳନା କପଟ ବନ୍ଧନ ଛିଣ୍ଡିଲେ
ନ କିଛି ଲାଗେ ଆଘାତ
ଏକ ଚେତାବନୀ ଶିକ୍ଷା ଦିଏ ସିଏ
ସୃଷ୍ଟି କରେ ରେଖାପାତ ।
ଯଦି କାହା ମନେ ସ୍ନେହ ରହୁ ନାହିଁ
ମିଛ ବନ୍ଧନ ବାନ୍ଧନି
ନିଜ ସ୍ବାର୍ଥ ପାଇଁ ଅନ୍ୟର ଖୁସିକୁ
ବଳି ଚଢେଇ ଦିଏନି ।
କୂଟ ଚକ୍ରାନ୍ତର ମାୟା ଜାଲେ ଛନ୍ଦି
କାହାକୁ ଭ୍ରମେ ରଖନା
ତାର ଆଖି ଲୁହେ ନିଜ ସର୍ବନାଶ
ପଥକୁ ଡାକି ଆଣନା ।
ଯେତେ ବି ସତର୍କେ ଚାଲୁପଛେ ସିଏ
ସତ ତ ଲୁଚି ରହେନା
ଛଳନା ବାହାନା ମିଛ ସମ୍ପର୍କର
ବନ୍ଧନ ତିଷ୍ଠି ପାରେନା ।