କାତ୍ୟାୟନୀ
କାତ୍ୟାୟନୀ


କାତ୍ୟାୟନ ଋଷି କନ୍ୟା ରୂପେ ଜନ୍ମି
କାତ୍ୟାୟନୀ ନାମ ଧରି ।
ଦୁର୍ଗତିନାଶିନୀ ଦୁର୍ଗା ମାତା ଥିଲେ
ମହିଷାସୁର ସଂହାରୀ ।
ବ୍ରଜ ମଣ୍ଡଳର ଅଧିଷ୍ଠାତ୍ରୀ ମାତା
କରି ତାଙ୍କ ପୂଜା ବ୍ରତ ।
ପତିରୂପେ ଗୋପି କୃଷ୍ଣଙ୍କୁ ଲଭିଲେ
ମାତା ହୋଇଲେ ତୃପତ ।
ଭବ୍ୟ ଦିବ୍ୟ ରୂପ ଦେବୀଙ୍କ ସ୍ୱରୂପ
ସ୍ୱର୍ଣ୍ଣ ବର୍ଣ୍ଣ ଚତୁର୍ଭୁଜା ।
ସିଂହବାହିନୀ ମା ଦକ୍ଷ ଉର୍ଦ୍ଧ୍ଵକର
ଅଭୟ , ବରଦ ଦୁଜା ।
ଦକ୍ଷ ନିମ୍ନ କର ଉର୍ଦ୍ଧ୍ଵ ଦେଶେ ଥାଏ
ପଦ୍ମ ନିମ୍ନ ବାମ କରେ ।
ତରବାରୀ ଗୋଟି ଧରିଥାନ୍ତି ମାତା
ତାଙ୍କ ବାମ
ଉର୍ଦ୍ଧ୍ଵ କରେ ।
ନବରାତ୍ରି ପୂଜା କାଳେ କାତ୍ୟାୟନୀ
ରୂପେ ଦେବୀ ଷଷ୍ଠ ଦିନ
ପୂଜିତା ହୁଅନ୍ତି ଆଜ୍ଞା ଚକ୍ରେ ରହେ
ସାଧକ ମନ ସେଦିନ ।
ମାତାଙ୍କ ପୟରେ ସର୍ବସ୍ଵ ଅରପି
ଦରଶନ ମାତାଙ୍କର ।
ଲଭଇ ସାଧକ ଚତୁର୍ବର୍ଗ ଫଳ
ଯାଏ ରୋଗ ଶୋକ ତାର ।
ଜନ୍ମ ଜନ୍ମାନ୍ତର ପାପରାଶି ତାର
ଯାଏ ଭସ୍ମୀଭୂତ ହୋଇ ।
ମାତୃ ଉପାସକ ମାତୃପୂଜା କରି
ତେଜ ପ୍ରଭାବ ଲଭଇ ।
ପରମ ପଦର ଅଧିକାରୀ ହୋଇ
ମାତାଙ୍କ କରୁଣା ପାଏ ।
ମାତା କାତ୍ୟାୟନୀ ତୋ ପଦକମଳେ
ମନ ମୋର ରଖ ମାଏ ।