ଡାର୍କ ସିକ୍ରେଟ
ଡାର୍କ ସିକ୍ରେଟ


ରାଜା ରାଣୀ ଦୁହେଁ ଏକ ରାଇଜର
ବୁଲିବାକୁ ଗଲେ ବନେ ।
ସଙ୍ଗତରେ କେହି ନଥିଲେ ତାଙ୍କର
ବୁଲିଲେ ଆନନ୍ଦ ମନେ ॥
ଗହନ ବନରେ ବୁଲିଲେ ଉଭୟେ
ତୃଷିତ ହୋଇଲେ ରାଣୀ ।
ରାଜାଙ୍କୁ କହିଲେ ଭାରି ଶୋଷ ଲାଗେ
ଆଣିଦିଅ ମତେ ପାଣି ॥
ବସ ଏଇଠାରେ ପାଣି ମୁଁ ଆଣୁଛି
କହି ଚଳିଲେ ରାଜନ ।
ପାଣି ନ ପାଇଲେ ହତାଶ ହୋଇଲେ
କାଟିଲେ ଅଙ୍ଗ ତକ୍ଷଣ ॥
ପତର ଠୋଲାରେ ନିଜ ଶରୀରର
ରକତ ରାଣୀଙ୍କୁ ଦେଇ ।
କହିଲେ ବଣର ପାଣି ଏଇ ନିଅ
ପିଇଦିଅ ପ୍ରାଣସହୀ ॥
ପିପାସା ମେଣ୍ଟିଲା ରାଣୀଙ୍କର ଯହୁଁ
ଉଭୟେ ତହୁଁ ଚଳିଲେ ।
କ୍ଷୁଧା ଗ୍ରାସ କଲା ଖାଇବାକୁ ଦିଅ
ରାଣୀ ରାଜାଙ୍କୁ କହିଲେ ॥
ବସ ଏଇଠାରେ ଖୋଜିଆଣେ ଖାଦ୍ୟ
କହି ରାଜନ ଚଳିଲେ ।
କିଛି ନ ପାଇ ସେ ନିଜ ଶରୀରର
ମାଂସ କିଛି କାଟି ନେଲେ ॥
ରାଣୀଙ୍କୁ କହିଲେ ଖାଇ ଦିଅ ନିଅ
ମିଳିଲା ମତେ ଏ ମାଂସ ।
ରାଣୀ ତା ଖାଇଲେ ଉଭୟେ ଚଳିଲେ
ମିଳିଲେ ନଦୀର ପାଶ ॥
ନାଉରିଆଟିଏ ନାଆ ନେଇ ଯାଏ
ବସିଲେ ଦୁହେଁ ନାଆରେ ।
ଗୀତ ଗାଉଥାଏ
ନାଉରିଆ ରାଣୀ
ମଜ୍ଜିଲେ ତାର ପ୍ରେମରେ ॥
ଇସାରା ଦେଲେ ସେ ନାଉରିଆ ଦେଲା
ରାଜାଙ୍କୁ ଠେଲି ନାଆରୁ ।
ଭାସି ଯିିବା କାଠଖଣ୍ଡେ ଧରି ରାଜା
ବଞ୍ଚିଲେ ଭାଗ୍ଯ ବଳରୁ ॥
ରାଜା ଫେରିଗଲେ ନିଜ ରାଇଜକୁ
ନାଉରିଆ ସଙ୍ଗେ ରାଣୀ ।
ଚଳିଲେ ବିତିଲା କିଛିଦିନ ପରେ
ସାଜିଲେ ସେ ଭିକାରୁଣୀ ॥
ଭିକ ମାଗୁଥିଲେ ରାଜାଙ୍କ ରାଜ୍ୟରେ
ସୁନ୍ଦର ରୂପକୁ ଦେଖି ।
ପାତ୍ର ମନ୍ତ୍ରୀ ନେଇ ରାଜାଙ୍କ ସମ୍ମୁଖେ
ଉଭା କରାଇଲେ ରଖି ॥
ବୋଇଲେ ରାଜନ ରକ୍ତ ମାଂସ ମୋର
ଖାଇଛି ଏ ମୋ ଅଙ୍ଗନା ।
କୈବର୍ତ୍ତ ଗାନରେ ମୋହିତ ହୋଇଲା
ଡାର୍କ ସିକ୍ରେଟ ଏ ସିନା ॥
ନିଅ ମୋ ଆଗରୁ ଏ ବାରାଙ୍ଗନାକୁ
ରାଣୀ ବୋଇଲେ ଉତ୍ତର ।
ବୃକ୍ଷେ କି ରହନ୍ତି ପକ୍ଷୀକୁଳ ଯଦି
ନଥାଏ ଫଳ ବୃକ୍ଷର ॥
ସାରସ କି ରହେ ଶୁଷ୍କ ସରୋବରେ
ଭ୍ରମର ଶୁଷ୍କ ପୁଷ୍ପରେ ।
ଦଗ୍ଧ ବନ ତେଜି ମୃଗ ଚାଲିଯାନ୍ତି
ନାରୀ ଅଣପୁରୁଷରେ ॥
ମନ୍ତ୍ରୀ ଚଳେ ତେଜି ରାଜ୍ୟହୀନ ରାଜା
ସର୍ବେ ଅର୍ଥ ବଶଙ୍କରୀ ।
କିଏ କାହା ସ୍ୱାମୀ କହିବ ରାଜନ
କିଏ ବା କାହାର ସ୍ତିରୀ ॥