ଧନୀ
ଧନୀ


ଧନ ଅଛି ଯାର ଧନୀ ସେ ବୋଲାଏ
ଧନ ନଥିଲେ ନିର୍ଦ୍ଧନ ।
ଧନ ଅରଜଇ କେତେ କଷ୍ଟ ସହି
ବୋଲାଏ ସେ ଧନବାନ ॥
ଦୁଃଖ କଷ୍ଟ ସହି ନଖାଇ ନପିଇ
ବହୁ ପ୍ରୟାସରେ ଧନ ।
ଅରଜନ କରି କେବେହେଁ ତାହାର
ସନ୍ତୋଷ ନ ହୁଏ ମନ ॥
ଅଧିକ ଅର୍ଜନ କିପରି କରିବ
କରିବ ତା ସଂରକ୍ଷଣ ।
ମନ ଥାଏ ତହିଁ ଜାଣି ନପାରଇ
କେଡେ ମୁରୁଖ ସେ ଜନ ॥
ଧନର ବଇରୀ ନିଜ ଲୋକମାନେ
ହେଉ ଅବା ପୁଅ ସ୍ତିରୀ ।
ନିଜ ନିଜ ଇଚ୍ଛା ନହେଲେ ପୂରଣ
ଚଳାଇ ଦିଅନ୍ତି ଛୁରୀ ॥
ଧନୀ ନଶୁଅଇ ତୂଳୀ ତଳପରେ
ମନେ ତାର ସଦା ଚିନ୍ତା ।
କାଳେ ବନ୍ଧୁ ପରିଜନ କେ ମାଗିବେ
ଧାର ଉଧାର ଧନ ତା ॥
ଧନୀ ନିଜ ଧନ ସଦୁପାୟେ ଯଦି
କରିନାହିଁ ରୋଜଗାର ।
ମ
ନରେ ସର୍ବଦା ଭୟ ଥାଏ ତାର
କାଳେ ଅବା ନେବ ଚୋର ॥
ରାଜା ଅବା ଖଣ୍ଟ କେହି ଅବା ନେବେ
ମୃତ୍ଯୁ ପରର ବିଚାର ।
ଅସ୍ଥିର କରଇ ଧନୀକୁ ସର୍ବଦା
ଏକଥା ମନରେ ଧର ॥
ଧନୀ ଯଦି କେବେ ନିର୍ଦ୍ଧନ ହୋଇଲା
ବଢିଯାଏ ଚିନ୍ତା ତାର ।
ଉପାୟ ଖୋଜଇ କେତେ ନୂଆ ନୂଆ
କରିବାକୁ ରୋଜଗାର ॥
ଅନ୍ୟାୟ ଅନୀତି ଦୁର୍ନୀତି ପଥରେ
ହୋଇଥାଏ ଅଗ୍ରସର ।
ଧନୀ ହେବା ଲାଗି ପ୍ରଯତ୍ନ କରଇ
ଅବଶ୍ଯ ସେ ପୁନର୍ବାର ॥
ଧନାଗମ ତୃଷ୍ଣା ସଦା କର ଦୂର
ବିତୃଷ୍ଣା ତହିଁକି କର ।
ନିଜ କର୍ମଫଳେ ଯାହା ବି ମିଳିଛି
ବିନୋଦ କର ତହିଁର ॥
ଧନୀ ହେବ ଯଦି ଜ୍ଞାନେ ହୁଅ ଧନୀ
ନେବେ ନାହିଁ ଖଣ୍ଟ ଚୋର ।
ଜ୍ଞାନ ବାଣ୍ଟି ଚାଲ ବର୍ଦ୍ଧିତ ହୋଇବ
ସର୍ବଦା ଜ୍ଞାନ ତୁମର ॥