ପାର୍ବଣ ଶେଷରେ
ପାର୍ବଣ ଶେଷରେ
ପ୍ରତୀକ୍ଷା ଅନେକ ଥିଲା ତୁମେ ଆସିବା ଆଗରୁ
ରୋମାଞ୍ଚିତ ହେଲା ସତ ଚିତ୍ତ ତୁମେ ବି ଆସିଯିବା ପରେ
ଏବେ ବାସ୍ ଉଲ୍ଲାସର ଅସରନ୍ତି ବେପରୁଆ ରଙ୍ଗ
ସ୍ବେଚ୍ଛାଚାରୀ ଚେତନାର ଦିଶାହୀନ ଢଙ୍ଗ
ମେଞ୍ଚା ମେଞ୍ଚା ସୁଖ ସ୍ଵପ୍ନର ଅଲୋଡ଼ା ଆକାଂକ୍ଷା
ପୁଳେ କୋଳାହଳରେ ଭରା ମୋହଗ୍ରସ୍ତ ବିଧିରକ୍ଷା
କାହିଁ ସେ ଦିବ୍ୟତା ଯାହା ଲୁଚିଗଲା ଭବ୍ୟତାର ମୁଗ୍ଧ ଆସରରେ
ପ୍ରତିମୂର୍ତ୍ତିଟିଏ ପୋଡ଼ାଗଲା ଅତି ସଗର୍ବରେ ରାବଣ ମାନଙ୍କ ଭିଡ଼ରେ
ପାର୍ବଣ ଏମିତି ଆସେ ଓ ଫେରିଯାଏ ଛାଡ଼ିଦେଇ
କିଛି ଉଷୁନା ଅନୁଭୂତି ଓ କିଛି ଆମିଷ ଅହଙ୍କାର।