ବାଟବଣା ରଜ
ବାଟବଣା ରଜ
ଜଣେ ଜାଳିବାରେ ବ୍ୟସ୍ତ ନୀଳ ତାର ତପ୍ତ ଅହଙ୍କାରେ
ଜଣେ ଜଳିବାରେ ଲିପ୍ତ ଧୂସର ତା ଅଭିମାନୀ ସ୍ୱରେ,
ଏମିତି ହିଁ ବଢିଚାଲେ ନିଦାଘର ନିର୍ମମ ଆକ୍ରୋଶ
ବାଟବଣା ରଜ ଆଜି ପ୍ରକୃତିର କ୍ରୁର ଆକୃତିରେ।
କାଳବୈଶାଖୀର କୋପେ ବିବ୍ରତ ଏ ବିବର୍ଣ୍ଣ ଆଷାଢ଼
ଆଗ ଭଳି ରଜ ପାଗ କରେନାହିଁ ରଜକୁ ବର୍ଣ୍ଣାଢ଼୍ୟ,
ଅପପୃଷ୍ଟି ଦେହେ ଆଜି ବସୁମାତା ହୁଏ ରଜସ୍ୱଳା
ବାଟବଣା ରଜ ଦେଖ ବିଛେଦରେ ମାଟି ଆକାଶର।
ପ୍ରଗତିର ଧାଁ ଦଉଡେ ସଂସ୍କୃତି ହିଁ ହୁଏ ବାଧାପ୍ରାପ୍ତ
ଋତୁଚକ୍ରରେ ବ୍ୟବଧାନ ମାନବର ନିଜ ହସ୍ତକୃତ,
ବ୍ୟତିକ୍ରମ ସବୁଠି ଆଜି ଜୀବନର ଜିବନଚର୍ଯ୍ୟାରେ
ବାଟବଣା ରଜ ଆଜି ମାନବର ସ୍ଵୟଂ ସ୍ଥିରୀକୃତ।
ଶୁଭେ ନାହିଁ ରଜଗୀତ କୁଆଁରୀର ଅନୁଢ଼ା କଣ୍ଠରୁ
ହଳଦୀ କାଠୁଆ ଆଜି ହଜିଛି ସେ ପୋଖରୀ ତୁଠରୁ,
କାହିଁ ଗଲା ଆମ୍ବ ତୋଟା କାହିଁ ସେ ଆକାଶ ଦୋଳି
ବାଟବଣା ରଜ ଆଜି ଶୁଖିଲା ସେ ଅଳକା ପଠାରୁ।
ପୋଡ଼ ପିଠା କଞ୍ଚା ରହେ ପୋଡ଼ିବାକୁ ବସିଲାଣି ମନ
ବନସ୍ତ ବିନଷ୍ଟ ଆଜି ଶୁଭେ ନାହିଁ ଗଜର ଗୁଞ୍ଜନ,
କାହିଁ ସେ କୁଙ୍କୁମ ଟିପା ମଞ୍ଜୁଆତି ପତ୍ରର ସୁବାସ
ବାଟବଣା ରଜ ଆଜି କବରୀରୁ ହଜିଛି ସପନ।
ରଜ ପାନ ଅଧରରେ ଆଉ କା'ର ଭରୁନାହିଁ ରଙ୍ଗ
ତାସ ଆଉ ଲୁଡୁ ପାଇଁ ଆଜିକାଲି ମିଳେନାହିଁ ସାଙ୍ଗ,
ମୋବାଇଲ୍ ଛଡେଇ ନେଲା ଗାଁ ଦାଣ୍ଡେ ଭିଡ଼ ଓ ଆସର
ବାଟବଣା ରଜ ଆଜି ଲାଗି ଆଧୁନିକତାର ରଙ୍ଗ।
ଚାଷୀ ମନ ଆନନ୍ଦରେ ବୁଡ଼ିଯାଏ ସ୍ୱର୍ଣ୍ଣିମ ସପନେ
ପାଗ କିନ୍ତୁ କଥା ଦେଇ ଭାଙ୍ଗିବାଟା ଭଲ ଭାବେ ଜାଣେ,
ଆଗଭଳି ଭିଜୁନାହିଁ ମାଟି ଆଉ ମାଟିର ସନ୍ତାନ
ବାଟବଣା ରଜ ଆଜି ଗାଆଁଠାରୁ ସହର ପ୍ରାଙ୍ଗଣେ।
ଚାଲେନା ସାଧବବୋହୂ ଭିଜା ଭିଜା ଘାସ ଗାଲିଚାରେ
ପବନ ବି ଗାଏ ନାହିଁ ଲୁଚି ଲୁଚି ବାଉଁଶ ବଣରେ,
ତୃଷ୍ଣା ହଜେ ବିତୃଷ୍ଣାର ଅନ୍ଧାରୁଆ ଅନ୍ଧଗଳି ମଧ୍ୟେ
ବାଟବଣା ରଜ ଆଜି ମୌସୁମୀର ଅବୁଝାପଣରେ।
ଆକାଶ ଛାତିରେ ମେଘ ଲେଖୁନାହିଁ ପ୍ରେମର କବିତା
ମଥାରେ ଝଟକୁ ନାହିଁ କଜ୍ଜ୍ଵଳ ଓ କୁଙ୍କୁମର ଛିଟା,
ଗାଆଁ ଆଉ ପୁରୁ ନାହିଁ ପ୍ରବାସୀ ପ୍ରିୟଜନ ମେଳେ
ବାଟବଣା ରଜ ଆଜି ସହରରେ ବଦଳେ ସଭ୍ୟତା।
ତଥାପି ଏ ରଜ ଆଣେ ଓଡ଼ିଆର ପ୍ରାଣରେ ଉଲ୍ଲାସ
ଷ୍ଟାଟସ୍ ର ନିଶାରେ ପଛେ ରଜ ଭରେ ଅଭାବେ ଉଶ୍ୱାସ,
ଓଡ଼ିଶାର ମହାପର୍ବ ଯାହା ପାଇଁ ହୃଦେ ରହୁ ଗର୍ବ
ବାଟବଣା ହେଲେ ମଧ୍ୟ ରଜ ଭରେ ଜୀବନେ ନିଶ୍ୱାସ।