STORYMIRROR

Santosh Kumar Nayak

Abstract Inspirational Others

5  

Santosh Kumar Nayak

Abstract Inspirational Others

କବି

କବି

1 min
946


ମୁଁ ଯେ ଖାଲି କବି ନୁହଁ,

ଦୁନିଆର ପ୍ରତିଟି ମଣିଷ

ଜଣେ ଜଣେ କବି ।

କିଏ ଭାଷା ଦେଇପାରେ

କିଏ ଶବ୍ଦ ଖୋଜିପାରେ

ଅବା କିଏ ଆଙ୍କିପାରେ

ଲେଖନୀରେ ସୁନ୍ଦର କବିତା;

ଆଉ କାହା ଭାବ ପୁଣି

ବନଜାତ ପୁଷ୍ପ ପରି,

ଫୁଟିଯାଏ ପୁଣି ତୁଟିଯାଏ

ବିତରିବା ଆଗରୁ ସୁବାସ ।

ଶ୍ରମିକଟେ କାମ ସାରି

ହାତରେ ବସ୍ତାନି ଧରି

ଫେରୁଥାଏ ଯେବେ ଦେଖେ

ଶ୍ୟାମଳ ଗିରି କନ୍ଦରେ

ଅସ୍ତଗାମୀ ରବିର ଝଲକ,

ହୁଏନି କି ମନ ତାର ଆନ୍ଦୋଳିତ!

ଯଦି ହୁଏ

କାହିଁ ନୁହେଁ ସିଏ ଜଣେ କବି?

କୃଷକଟି କ୍ଷେତେ ତାର

ଧରି ହାତେ ଲଙ୍ଗଳର କାଠ,

ଚଷୁଥାଏ ଯଦି ବର୍ଷା

ଢାଳିଦିଏ ତାର ଅମୃତର ବାରି ,

ହୁଏନି କି ଚଷା ମନ ଆନନ୍ଦିତ!

ଯଦି ହୁଏ

କାହିଁ ନୁହେଁ ସିଏ ଜଣେ କବି?

ଜୀବନର ଅଙ୍କା ବଙ୍କା ରାସ୍ତାରେ

ଖୋଜି ଖୋଜି ଯିବା ଯଦି

ପାଇଯିବା କେତେ କେତେ କବି ।

କୋବି ବିକୁଥିବା କବି,

ଛବି ଆଙ୍କୁଥିବା କବି,

ବାଳ କାଟୁଥିବା କବି,

ଝାଳ ପୋଛୁଥିବା କବି,

ତେବେ କାହିଁ ଏଇ ଦୁନିଆ କହୁଛି

ତୁମେ ଆଉ ମୁଁ ଖାଲି କବି?

ଦୁନିଆର ପ୍ରତିଟି ମଣିଷ 

ଜଣେ ଜଣେ କବି ।

ଦୁନିଆର ପ୍ରତିଟି ମଣିଷ 

ଜଣେ ଜଣେ କବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract