ମୃଣ୍ମୟୀ ପ୍ରତିମା
ମୃଣ୍ମୟୀ ପ୍ରତିମା
ଅତୁଟ ବିଶ୍ଵାସ ଓ ସରଳ ସମର୍ପଣ ଭାବର
ଫେଣ୍ଟା ଫେଣ୍ଟି ଆବରଣ
ନଡା ଓ ମାଟିର ଛାଂଚରେ
କାରିଗରର ଯାଦୁକାରୀ ସ୍ପର୍ଶ
ଝଟକୁଥିବା ଚିକମିକ ଜରିଲଗା ପାଟ
ଲମ୍ବା ଲମ୍ବା ଫୁଲମାଳ ରଂଗ ବେରଙ୍ଗର ,
ଧୂପ ଦୀପ ନୈବେଦ୍ୟର ସୁଗନ୍ଧିତ ବାସ୍ନା
ପୂଜାବେଦୀ ବେଶ୍ ତତ୍ପର ଓ ଚଳଚଂଚଳ
ମନ୍ତ୍ର ପାଠର ପବିତ୍ର ମହକ
ଆଳତିର ସମ୍ମୋହନ
ହୋମ ଅଗ୍ନିର ଝଲମଲ ଶିଖା
ବ୍ୟପିଛି ସଚରାଚର ଅନ୍ତରରୁ ଅନ୍ତରୀକ୍ଷ
ଭୂମିରୁ ଭୂମା , ଅନ୍ଧାରରୁ ଆଲୋକ
ସେ ବିରାଜିତା, ଆବିର୍ଭୂତା ମୃଣ୍ମୟୀ ପ୍ରତିମା
ଦେବୀ ଦଶଭୂଜା ।।
ଏତେ କୋଳାହଳ ତୁରୀ ଭେରୀ
ଘଣ୍ଟ ଘଣ୍ଟା ଶଙ୍ଖନାଦ ହୁଳହୁଳି
ଲହଡି ଭାଙ୍ଗୁଛି ଭକ୍ତିର ପ୍ରାବଲ୍ୟ
ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି ତୀବ୍ର ପ୍ରତିଯୋଗିତା
ତା ଆଖିରେ ଆଖି ମିଶାଇବାର,
ତା ହସରୁ ଚେନାଏ ସଂଗ୍ରହ କରିବା ପାଇଁ
ଅଦମ୍ୟ ପିପାସା ଓ ସକଳ ପ୍ରଚେଷ୍ଟା
କେଉଁ ଏକ ଆଦିମ କାଳରୁ ଅଦ୍ୟାବଧି
ବହଳିଆ ବିଶ୍ବାସର ମଧୁର ଆସ୍ତରଣ ।।
ନଭଶ୍ଚୁମ୍ବି ସୁଉଚ୍ଚ ତୋରଣ ସୁସଜ୍ଜିତ
ଝକମକ ରଂଗୀନ ଆଲୋକ ମାଳାର
ମଖମଲି ଆକର୍ଷଣର କୃଷ୍ଣଚୂଡା ଓଢଣୀରେ
ଧରିତ୍ରୀ ରାଣୀର ନବବଧୂ ବେଶ
ସବୁ ଯେମିତି ସମର୍ପିତ, ଆହ୍ଲାଦିତ
ତାଙ୍କର ଶୁଭ ଆବାହନ ପାଇଁ ଶୁଭ ସ୍ବାଗତିକା
ମାଟି ପାଣି ପବନ ଗଛଲତା ପାହଡ ପର୍ବତ
ସବୁଜ କେଦାର ହସହସ ମୁହଁ
ପୂର୍ବ ପ୍ରସ୍ତୁତ, ସମର୍ପଣ ଭାବ
ସବୁରି ଭିତରେ ପ୍ରସ୍ଫୁଟିତ ତାଙ୍କ ଜ୍ୟୋତି
ତାଙ୍କ ଶକ୍ତିର ଭରପୁର ଝଲକ
ଶାରଦୀୟ ଶୋଭାର ଭଣ୍ଡାର ।।
ନଈପଠା କାଶତଣ୍ଡୀ
ଜହ୍ନି ଫୁଲିଆ ଜହ୍ନ ରାତି
ନିର୍ମଳ ଜୋଛନାର ଚନ୍ଦନ ଧାରା
ଶୀତୁଆ ପବନର ମନ ଛୁଆଁ ମୂର୍ଚ୍ଛନା
ଝରା ଶେଫାଳୀର ଠୋ ଠୋ ହସ
ସାଗର ବେଳାର ନିର୍ଜନତା
ମରୁଭୂମିର ସୁଦୀର୍ଘ ବାଲୁକା ଶଯ୍ୟା
ସମସ୍ତେ ବିଭୋର,ଅଶ୍ରୁସିକ୍ତ ଓ ସ୍ବପ୍ନସିକ୍ତ
ସେ ଆଦ୍ୟାଶକ୍ତିଙ୍କ ଆରଧନା ଓ ଆଶିଷର
ମହମହ ଅମୃତ ବାସ୍ନାରେ
ପ୍ରତୀକ୍ଷା ଯାହା ଅନନ୍ତ କାଳର ।।
ଶରତ କୁମାର ଦାସ