STORYMIRROR

SARATA KUMAR DAS

Abstract

2  

SARATA KUMAR DAS

Abstract

ପ୍ରେମ

ପ୍ରେମ

1 min
190

ପ୍ରେମ ଏକ ଶବ୍ଦହୀନ ଶବ୍ଦ 

ଭାଷାହୀନ ସୁମଂଜୁଳ ଭାଷା

ମଧୁର ଅନୁଭବର ଅଭିବ୍ୟକ୍ତି 

ସ୍ବାର୍ଥ ଓ ପ୍ରତ୍ୟାଶାରହିତ

ସର୍ତ୍ତହୀନ ଶାଶ୍ବତ ସମର୍ପଣ


କେତେବେଳେ ଜଳାଏ ତ

ଆଉ କେତେବେଳେ ନିଜେ ଜଳିଯାଏ

କେତେବେଳେ ଭାଙ୍ଗେ ତ

ଆଉ କେତେବେଳେ ଗଢିଥାଏ 

ପ୍ରୀତି ଓ ପ୍ରଣୟର ସୁବର୍ଣ୍ଣ ମନ୍ଦିର


ପ୍ରେମ ଏକ ସଂକ୍ରାମକ ରୋଗ

ସଂକ୍ରମିତ ହୋଇଥାଏ ଆଖି ଦେଇ

ଅବଶେଷେ ମିଶିଯାଏ ଶିରା ପ୍ରଶିରାରେ 

ରକ୍ତର ପ୍ରତିଟି ବିନ୍ଦୁରେ ,

ପ୍ରଥମ ଦେଖାରେ,ପ୍ରଥମ ଛୁଆଁ ରେ

ଆତ୍ମୀୟତା ଢାଳିଦିଏ 

କଥା କହେ ଚୁପି ଚୁପି ଜହ୍ନ ଆଲୁଅରେ

ଅବା ଅନନ୍ତ ଆକାଶର ବହଳ ଅନ୍ଧାର ଭିତରେ


ପ୍ରେମ ଏକ ମାରାତ୍ମକ ବ୍ୟାଧି

ଘାଇଲା କରେ ଆଖିର ପଲକେ

ଜାଳିଦିଏ ହୃଦୟକୁ ସାମାନ୍ୟ ଉତ୍ତାପରେ

ମାତ୍ର ଅବସୋସ ନଥାଏ ଟିକିଏ ବି

ଜଳି ଜଳି ପାଉଁଶ ହେବାରେ


ପ୍ରେମ ଏକ ଦିବ୍ୟ ଅନୁଭୂତି

ନୈସର୍ଗିକ ମିଳନ ଦୁଇଟି ଆତ୍ମାର

ଈଶ୍ବରଙ୍କ ଶ୍ରେଷ୍ଠ ଅବଦାନ

ସବୁ ଧର୍ମ, ଦର୍ଶନ ଓ ସଂସ୍କୃତିର 

ମୌଳିକ ଆଧାର ଓ ସର୍ବୋଚ୍ଚ ଉପଲବ୍ଧି


ପ୍ରେମ ଏକ ଅସମାପ୍ତ ଅନୁରାଗ

ସ୍ବାର୍ଥହୀନ ଓ କାମନାହୀନ ଅନୁରକ୍ତି

ପୂର୍ଣ୍ଣତାରେ ଭରିଦିଏ ଜୀବନ ପାତ୍ରକୁ

ଛାଇପରି ଘୂରୁଥାଏ ଚୌହଦି ,

ବସନ୍ତର ପଂଚମ ତାନରେ 

ଗାଉଥାଏ ଗୀତ ଗୁଣୁ ଗୁଣୁ ହୋଇ ,

ଆଉ କେତେବେଳେ ଝରୁଥାଏ ଝର ଝର

ପାହାଡୀ ଝରଣାଟିଏ ହୋଇ 

ଅଗନା ଅଗନି ବନସ୍ତର ବନ୍ଧୁର ପଥରେ


ପ୍ରେମ ଏକ ଆକର୍ଷଣ, ମଧୁର ଯନ୍ତ୍ରଣା 

ଉଡିପାରେ ଫର ଫର ଡେଣା ମେଲି

ଶୂନ୍ୟ ଆକାଶରେ ପକ୍ଷୀଟିଏ ହୋଇ,

ସ୍ମୁତି ଓ ବିସ୍ମୃତିର ଅନ୍ତରାଳେ ନୀଡ ତୋଳେ

ଅତିକ୍ରମ କରିପାରେ ପ୍ରତୀକ୍ଷାର ଦୀର୍ଘ ପଥ

ଆନନ୍ଦ ଓ ବିଷାଦର ଶେଷ ପାହାଚରେ 

ଛୁଇଁ ପାରେ ମଧ୍ୟାହ୍ନର ଡହ ଡହ ସୂର୍ଯ୍ୟ


ପ୍ରେମ ଏକ ନିବେଦନ,ହୃଦୟର ସିକ୍ତ କମ୍ପନ 

ଆବେଗର ସ୍ନିଗ୍ଧ ଶୀତଳ ଚନ୍ଦନ, 

ହୋଇପାରେ କାହା ପାଇଁ 

ଇଭ୍-ଆଦାମ ଙ୍କ ପ୍ରେମ

ଅବା ମେରୀ-ଯୋଶେଫ୍ ଙ୍କ ପ୍ରେମ

ଆଉ କାହା ପାଇଁ ଲୈଲା-ମଜୁନୁ,

କେଦାର-ଗୌରୀ ଅବା ରାଧା-କୃଷ୍ଣଙ୍କ 

ଅନାବିଳ ଓ ନିରାସକ୍ତ ପ୍ରେମ


ପ୍ରେମ ହୁଏ କାଳଜୟୀ 

ଯେଉଁଠି ପରାଜୟରେ ବି ବିଜୟର ଉଲ୍ଲାସ ଥାଏ

ବିଷପୂର୍ଣ୍ଣ ପିଆଲାରେ ଅମୃତର ସୁସ୍ବାଦ ଥାଏ

ଆଉ ମୁଁ ଓ ତୁ ପରିବର୍ତ୍ତେ

'ଆମେ' ର ସ୍ଵର୍ଗୀୟ ଅନୁଭବ ଥାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract