STORYMIRROR

SARATA KUMAR DAS

Classics

2  

SARATA KUMAR DAS

Classics

ଅନନ୍ୟ ଅନୁଚିନ୍ତା

ଅନନ୍ୟ ଅନୁଚିନ୍ତା

1 min
193

ଥରେ ତୁମେ ମୁକ୍ତାକାଶେ ଡେଣାମେଲି 

ଉଡୁଥିବା ପକ୍ଷୀକୁ ପଚାର,

ହୁଏତ ସେ କହିପାରେ 

ଭୂମି ଠାରୁ ଭୂମାର ଦୂରତା,

କେବେ ଥରେ କଳ କଳ ହୋଇ ବହୁଥିବା

ସ୍ବଚ୍ଛ ଜଳକୁ ପଚାର

ହୁଏତ ସେ କହିପାରେ 

ସମୁଦ୍ରର ଗଭୀରତା ପୁଣି କେତେ କୋମଳତା


ଥରେ ପବନକୁ ପଚାର,ପାରୁଛ ଯଦି

ହୁଏତ ସେ କହିପାରେ 

ପୃଥିବୀର ପ୍ରୀତିପୂର୍ଣ୍ଣ ବିଶାଳତା,

କେବେ ଥରେ ଶୂନ୍ୟକୁ ଚାହିଁ 

ଆଖି ମିଟିମିଟି କରୁଥିବା

ଲଣ୍ଡା ପାହାଡକୁ ପଚାର,

ହୁଏତ ସେ କହିପାରେ 

କେତେ ମହନୀୟ ଗୁଣରେ ଭରା 

ସଶ୍ରଦ୍ଧ ଧୈର୍ଯ୍ଯଶୀଳତା


ଆଉ ଥରେ ପଚାର ନିଜ ମନକୁ କେବେ 

ହୁଏତ କହିପାରେ ସେ 

କେତେ ଅମୂଲ୍ୟ ଓ ଦେଦୀପ୍ୟମାନ 

ମଣିଷର ଉଜ୍ଜ୍ବଳ ମଣିଷ ପଣିଆ ,

ଓ କେତେ ହା ହା କାର ସତେ ଶୂନ୍ୟତା, 

ନିର୍ଜନତା,ସଂକୀର୍ଣ୍ଣତା ପୁଣି

ଅଳନ୍ଧୁଲଗା ରୁଗ୍ଣ ମାନସିକତା

ଅବା ନକାରାତ୍ମକତାର ତୀବ୍ର ପ୍ରତିଯୋଗିତା


ଆସ ତେବେ ଖୋଲି ଦେବା

ଅଜ୍ଞତାର ରୁଦ୍ଧ ଦ୍ବାର,

ମାନବବାଦର ବିସ୍ତାରିତ ରେଖା

ଛୁଇଁ ଦେବା ହୃଦୟର ସ୍ପନ୍ଦନକୁ

ମନର ପ୍ରଶସ୍ଥତାକୁ,ଗଭୀର ଗୁଣବତ୍ତାକୁ

ଆଉ ପୁଣି ଜାଗ୍ରତ ଚେତନାକୁ,

ସିକ୍ତ ଓ ସ୍ନିଗ୍ଧ ଆବେଗକୁ


ଜାଗରିତ ହେବ ଜିଜ୍ଞାସାର ଅଚେତନ ଭାବ

ଚଳ ଚଂଚଳ ହେବ

ଆୟୁଷର ଯେତେ ଅନ୍ଧାରୀ ମୂଲକ ,

ଚକମକ ହେବ ଯେତେ

ଭାବନାର ସୁପ୍ତ ପାଉଁଶିଆ ଦିଗ

ବିଶ୍ବାସର ନଭଶ୍ଚୁମ୍ବୀ ଆକର୍ଷଣ


ପଲ୍ଲବିତ ହେବ ଭ୍ରାତୃତ୍ବର ସବୁଜ ବନାନୀ

ଲମ୍ବି ଲମ୍ବି ଯିବ ଜୀଇଁବାର ସ୍ପର୍ଦ୍ଧିତ ମାର୍ଗ

ସ୍ନେହ,ପ୍ରୀତି ଓ ପ୍ରେମମୟ ହେବ 

ଏ ନିଃସଙ୍ଗ ଜୀବନର ଶୀର୍ଣ୍ଣ ଅବୟବ,

ସକାରାତ୍ମକତାରେ ବଦଳି ଯିବ

ସବୁତକ ଚିନ୍ତନର ସୂକ୍ଷ୍ମ ନାଭିକେନ୍ଦ୍ର , 

ଜଳ,ସ୍ଥଳ,ଆକାଶରେ ଖେଳିଯିବ

ମାନବିକତାର ଚନ୍ଦନ ଚର୍ଚ୍ଚିତ ବାସ ,

ଉନ୍ମୁକ୍ତ ହେବ ଚେତନାର ତତ୍ତ୍ବଦର୍ଶୀ ଦିଗ 

ଏକ ଅନନ୍ୟ ଶାଶ୍ଵତ ଅନୁତିନ୍ତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics