STORYMIRROR

SARATA KUMAR DAS

Abstract

2  

SARATA KUMAR DAS

Abstract

ଚରମ ପତ୍ର

ଚରମ ପତ୍ର

1 min
236

ଖୋଲା ଆକାଶର ମୁକୁଳା ଛାତି ତଳେ

ପୋଷ ପୋଷ ଲୁହ ଓ ଲୁହରେ

ଆଉଟୁ ପାଉଟୁ ହୁଏ

କଙ୍କାଳସାର ମଣିଷର ନୁଆଁଣିଆ ଜୀବନ


ଜୀଇଁବାର ଯେତେ ଅଭିନୟ କଲେ ବି

ମୃତ୍ୟୁକୁ ସାମ୍ନା କରୁଥାଏ ବାରମ୍ବାର 

ଝଲମଲ ଜହ୍ନ ଆଲୁଅରେ ,

କେବେ ପୁଣି ଶୁଖିଲା ସଳିତାରେ

ଦିକି ଦିକି ଜଳୁଥିବା

ଅଧାଜଳା ଦୀପର ସ୍ତୀମିତ ଆଲୋକରେ


ଆଉ କେତେବେଳେ ପୁଣି 

ଢାଙ୍କି ହୋଇ ରହିଥିବା ପରସ୍ତ ପରସ୍ତ 

କଳା ମଚ ମଚ ଅନ୍ଧାରର

ବିକଟାଳ ଚେହେରା ଭିତରେ


ଟପ ଟପ ଖସି ପଡୁଥିବା କାକର ବିନ୍ଦୁର

ଢଳ ଢଳ ଧବଳ ଦେହରେ

ପ୍ରତିବିମ୍ବିତ ହୁଏ ଆୟୁଷର ଚକମକ ରେଖା

ବିଳପି ଉଠେ ଆତ୍ମା ଅବେଳରେ,

ପକ୍ଷୀର ଗୁଂଜନ ,ସମୁଦ୍ରର ଗର୍ଜନ 

ପ୍ରିୟତମାର ଚୁପି ଚୁପି କଥା

ପାଟିହୁଏ ଲଣ୍ଡା ପାହାଡର ଫୁଙ୍ଗୁଳା ମଥାରେ


ବରଫର କାନ୍ଥ ରେ ଲେଖି ହୋଇଯାଏ

ଅସରନ୍ତି ଇତିହାସ ହାର୍ ଆଉ ଜିତ୍ ର

ନିନ୍ଦା ,ଅପବାଦ,ଲାଂଛନା ପୁଣି ଛଳନାର,

ନିଃଶବ୍ଦରେ କୋଳାହଳ ଶୁଭେ ,

ବେଳାଭୂମିର ବିସ୍ତାରିତ ବାଲୁକା ଶଯ୍ୟାରେ 

ଆଙ୍କି ହୋଇଯାଏ ମାନଚିତ୍ର 

ଅତୀତ, ବର୍ତ୍ତମାନ ଓ ଭବିଷ୍ୟର


ନିଜ ଅଜାଣତରେ ଲେଖି ହୋଇଯାଏ

ଚରମ ପତ୍ର ସମୟକୁ,ପୃଥିବୀକୁ,ଆକାଶକୁ

ପୁଣି କେବେ କେବେ ନିଜ ଆୟୁଷକୁ,

କ୍ରୋଧରେ, ଅଭିମାନରେ ଅବା 

ନିଷ୍ଠୁର ନିର୍ଘାତ ଅବସୋସରେ ,

ଯାହା ଖାଲି ନୀରବତା ,ନିଃସଙ୍ଗତା

ଓହ୍ଲାଇ ଆସୁଥାଏ ଏକା ଏକା ମାଟିକୁ

ନିର୍ବାଣର ସୁବର୍ଣ୍ଣ ସମ୍ଭାବନାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract