ମଲାଜହ୍ନ
ମଲାଜହ୍ନ
ନୀଳ ଗଗନରେ ମିଟିମିଟି ତାରା
ଝଲମଲ ଦିଶେ ପୁଣ୍ୟ ବସୁନ୍ଧରା
ସ୍ବପ୍ନରେ ଭିଜୁଛି ରାତି,
ମୃଦୁ ମଳୟର ଶିରି ଶିରି ଛୁଆଁ
ହୃଦ ଚିତ୍ରପଟେ ଛବି ନୂଆ ନୂଆ
ଧୀରେ ଶୁଭେ ପ୍ରୀତିଗୀତି ।
ଶିଶିର ବିନ୍ଦୁରେ ରୂପ ଢଳଢଳ
ପ୍ରକୃତି ରାଣୀର ବେଶ ସୁକୋମଳ
ମାଟି ହସେ କିରିକିରି,
ସବୁଜ ଧରଣୀ ପୁଷ୍ପେ ବିମଣ୍ଡିତା
ଚାରୁ ଚିତ୍ରମୟ ଚିର ସୁଶୋଭିତା
ଛୁଇଁଯାଏ ସୁଖଶିରୀ ।
କୋଳାହଳ ଶୁଭେ ପୁଣ୍ୟ ତପୋବନେ
କୋଇଲିର କୁହୁ ସୁମଧୁର ତାନେ
ଶିହରିତ ହୁଏ ମନ,
ବସନ୍ତର ସ୍ପର୍ଶେ ବଢେ ମାଦକତା
ଅସୁମାରି ସୁଖ ଭାଙ୍ଗେ ନୀରବତା
ନୃତ୍ୟ କରେ ଫୁଲବନ ।
ଚନ୍ଦନ ଚର୍ଚ୍ଚିତ ଆରକ୍ତ କପାଳ
କଳକଳ ବହେ ଝରଣାର ଜଳ
ବାଣ୍ଟେ ପ୍ରୀତିର ସନ୍ଦେଶ,
ଅନ୍ଧକାର ଚିରି ଜ୍ୟୋତିର ପ୍ରକଟ
ନବ ଉଚ୍ଛ୍ବାସର ନର୍ମଳ ଉଚ୍ଚାଟ
ଜାଗଇ ନବ ବିଶ୍ବାସ ।
କୁଂଜବନେ ଶୁଭେ ମୁରଲୀର ସ୍ବର
ଯମୁନା କୂଳରେ ପ୍ରୀତିର ସମ୍ଭାର
ଉର୍ମି ଦିଏ ସୁସଙ୍କେତ,
ପ୍ରେମ ପ୍ରଣୟର ବାଲୁକା ଶଯ୍ୟାରେ
ଅସରନ୍ତି ସ୍ବପ୍ନ ଧୀରେ ଉଙ୍କି ମାରେ
ମଲାଜହ୍ନ ଗାଏ ଗୀତ ।