କାହ୍ନାରେ କାହ୍ନା
କାହ୍ନାରେ କାହ୍ନା
କାହ୍ନା ରେ କାହ୍ନା,
ମତେ ତୋ ରାଧା ଭାବ ନା,
ରାଧା ଭାବି କି ମତେ,
ତୋ ରଙ୍ଗ ମୋଟେ ଲଗା ନା I
ଯଦି ମୁଁ ତୋ ରଙ୍ଗ ରେ,
ରଙ୍ଗେଇ ହେବି ରେ,
ଦିନରାତି ତତେ ଭାବି ଭାବି,
ଶୋଇ ବସି ପାରିବିନି ରେ I
ଦିବା ତ ଦିବା,
ରାତିରେ ବି ହେବ ତୋର ଭାବନା ,
ଶୟନେ ସପନେ,
ଆସିବ ରେ ମନେ ତୋର କଳ୍ପନା I
ମନ ହେବରେ ସଦା ଅଥୟ ,
ସଂସାର କୁ ତେବେ ଲାଗିବ ଭୟ ,
ଲୋକ ମତେ ବାୟାଣୀ କହିବ ,
ବଞ୍ଚି ପାରିବିନି ହୋଇ ନିର୍ଦ୍ଵନ୍ଦ I
ତେଣୁ କାହ୍ନା ରେ କାହ୍ନା,
ଯଦି ଲଗେଇବୁ ମୋ ଦେହେ ତୋ ରଙ୍ଗ,
ଦେଖେଇ ତୋ ମନମୋହକ ଢଙ୍ଗ,
ତେବେ ଛିଣ୍ଡାଇ ଦେ ମୋ ସାଂସାରିକ ସଙ୍ଗ,
ମିଟାଇ ଦେ ମୋର ଜୀବନ ଜୀବିକା ଦ୍ଵନ୍ଦ I
ତା ପରେ ତୋ ରଙ୍ଗରେ ମୁଁ ହୋଇ ରଙ୍ଗେଇ,
ଜନମ ଜନମ ହେବି ରେ ତୋର କହ୍ନାଇ,
ତୁ ହେବୁ ମୋ ପ୍ରିୟ ନୀଳମଣି,
ମୁଁ ହେବିରେ ତୋ ରାଧାରାଣୀ I
ତୋ ଚାହାଣୀ ର ଆକର୍ଷଣ ରେ,
ଆକର୍ଷିତ ହେବି ରେ,
ତୋ ସ୍ମିତ ହାସ୍ୟ ର ମୋହ ରେ,
ମୋ ସଂସାର କୁ ଭୁଲିଯିବି ରେ I
ତୋ ରଙ୍ଗରେ ହୋଇ ରଙ୍ଗେଇ,
ତୋ ପ୍ରେମ ରେ ହୋଇଣ ବାଇ,
ତୋ ପ୍ରୀତି ମଳୟ ପରଶ ପାଇ ,
ତୋ ଅଙ୍ଗେ ଅଙ୍ଗେ ମୋ ଅଙ୍ଗ ,
ଯିବ ମିଳାଇ, ଯିବ ମିଳାଇ I
ହେଲେ ରେ ମୋର କହ୍ନାଇ,
ଏସବୁ ହେବ ତେବେ ରେ ସମ୍ଭବ,
ଯେବେ ପୂରଣ ହେବ ମୋର ଅଭାବ,
ଯେବେ ତୁ ମୋ ସାଂସାରିକ ବନ୍ଧନ,
କାଟିଣ ଦେବୁ,
ଏ ମାୟା ଭବସାଗର ଭଉଁରୀ ରୁ,
ପାର କରିବୁ !
ଆଉ କେହି ମୋ ପାଇଁ,ଦାବିଦାର ହେବନି,
ତୋ ସହିତ ଆଉ କେହି କଳି କରିବେନି,
ନିଷ୍କଳଙ୍କ ରେ ମୁଁ ତୋ ରଙ୍ଗରେ ରଙ୍ଗିନ ହେବି,
ଇହଜନ୍ମ ପରଜନ୍ମ ତୋ ଠାରେ ନିଜକୁ ସମର୍ପି ଦେବି I
ମୋ ଚରିତ୍ର ତେବେ ହେବନି କଳଙ୍କିତ,
ତୋ ରଙ୍ଗ ଲଗେଇବି ହୋଇ ଆନନ୍ଦିତ,
ତୋ ସାଥେ ନାଚି ଗୀତ ଗାଇ ରହିବି,
ହୋଇ ହର୍ଷିତ ରେ ହୋଇ ହୋଇ ହର୍ଷିତ I
