କିଛି ଥିଲା
କିଛି ଥିଲା
ଆଖି ମୋର ଆଖି ସାଥେ
ଅପଲକେ ମିଶିଥିଲା ,
ଆଖିରେ ବସିଛି ସିଏ
ନିଶ୍ଚେ କିଛି ହୋଇଥିଲା ।
ହେଲେ ... କାହିଁକି କେଜାଣି
ଆଖି ଆଖିର ଭେଟ ଆଜିବି ହୋଇନି ,
ଖାସ୍ ଆଖି ଆଇନାରେ ତାର ପ୍ରତିବିମ୍ବ
ସେ ଯେ ଅନ୍ତରୀକ୍ଷ ଚନ୍ଦ୍ର ଥିଲା,
ଦୀପ ଧାରେ ଶିଖା ଥିଲା ପୁଣି ଅହରହ ଜଳୁଥିଲା । ୧।
ଶୁଣି ମୋର ସ୍ଵପ୍ନ ଗାଥା
କେହି ପରା ହସିଥିଲା,
ଅହରହ ଝୁରୁଛି ମୁଁ
ନିଶ୍ଚେ ସିଏ ଜାଣିଥିଲା ।
ହେଲେ ... କାହିଁକି କେଜାଣି
ସ୍ଵପ୍ନପରୀ ମୋର ସ୍ଵପ୍ନ ଆଜି ବି ଭାଙ୍ଗିନି,
ଖାସ୍ ତାକୁ ଝୁରିଝୁରି ସ୍ଵପ୍ନ ଦେଖା ମଣିଷର
ସେ ଯେ ସ୍ଵପ୍ନର ମାନସୀ ଥିଲା ,
ଉନ୍ମାଦକୁ ଦେଖିଥିଲା ପୁଣି ଚୁପଚାପ୍ ରହିଗଲା । ୨।
ଦେଖି ମୋର ପାଗଳାମି
କେହି ଜଣେ ହସିଥିଲା ,
ମୁଁ ପାଗଳ ହୋଇଛ
ି ବୋଲି
ମୃଦୁ ହସି କହିଥିଲା ।
ହେଲେ ... କାହିଁକି କେଜାଣି
ସେ କି ପାଗଳୀଟେ ଅବା ଜାଣି ପାରିଲାନି ,
ଖାସ୍ ତାର ଅମିଳନ ଅତୃପ୍ତିରେ ସୁସ୍ଥ ମଣିଷଟେ
ସେ ଯେ ପାଗଳଟେ ହୋଇଥିଲା ,
ବିରହିତ ପ୍ରାଣ ଥିଲା ପୁଣି ଦୈବିକ କମ୍ପନ ଥିଲା ।୩।
ଆତ୍ମା ମୋର ଆତ୍ମା ସଂଗେ
ସଂପର୍କଟେ ବାନ୍ଧିଥିଲା ,
ପ୍ରାଣର ଗୁହାରୁ ଶୁଣିଛି
ଅବ୍ୟକ୍ତ ଝଙ୍କାର ଥିଲା ।
ହେଲେ ... କାହିଁକି କେଜାଣି
ହେଲେ ନିଖିଳ ଗୋପନ ସ୍ଵନ ଆଜି ବି ଶୁଭିନି,
ଖାସ୍ ତାରି ପାଇଁ ତ ଆତ୍ମା ବୀଣା ତାରେ
ସେ ଯେ ଆପଣାର ସ୍ଵନ ଥିଲା ,
ପଞ୍ଚମ ରାଗଟେ ଥିଲା ପୁଣି ଶ୍ରଦ୍ଧାର ମୁର୍ଚ୍ଛନା ଥିଲା ।୪।