ମୌସୁମୀ ବେଶରେ
ମୌସୁମୀ ବେଶରେ
ଆକାଶରେ ସୂର୍ଯ୍ୟ ନାହିଁ ,
ଜହ୍ନ ନାହିଁ, ତାରା ମାନେ ବି ...
ଧଳା ମସ ମସ ବାଦଲ ମାନେ
ଦେଖିଲେ ଲାଗୁଥିଲେ
ଭାରି ମୁଲାୟମ ...
କାହିଁ, ସେମାନେ ବି ନାହାନ୍ତି ।
କଳଙ୍କିନୀର ଉଜ୍ଜ୍ୱଳ ଜ୍ୟୋସ୍ନା
କଳା ମିଟି ମିଟି ସଚରାଚର
ଅଢୁଆଳେ ଅନ୍ତର୍ଦ୍ଧାନ,
ଲାଗେ ଏଇ କିଛି ଦିନୁ
ଚାହିଁ ରହିଥିଲା ଅବା ସେ ବି
ଟିକିଏ ବିରତି ପାଇଁ ।
ଉନ୍ମୁକ୍ତ ରଜନୀର ଇଲାକାରେ
କେତେ ଗଭୀରତା !
ପୁଣି ଏତେ ମୁଗ୍ଧ ମୂର୍ଚ୍ଛନା
ପାଇଲା କେଉଁଠୁ ,
ନିସ୍ତବ୍ଧତା ଭିତରେ ରହି ରହି
ସୁଁ ସୁଁ ପବନର ପଞ୍ଜରା ଥରା ଧ୍ଵନି ,
ଦୁଲୁକାଇ ଦେଲା ଭଳି ଶୀତଳତା
ଶରୀରକୁ ଶିହରାଇ ଦେଲା
ଷୋଳଷୀର ବେଗ ଆଉ ବାଗ ପରି ।
କଳା ମେଘୀ ପାଟ ଶାଢ଼ୀ
ହଁ ... ହଁ ... କଳା ମେଘୀ
ଚିକ୍ ଚିକ୍ କରୁଥିଲା ,
ନୂଆ ଶାଢ଼ୀ ତ ...
ବୋଧ ହୁଏ ଚାଲୁ ଚାଲୁ
ଘଷି ହୋଇ ଫଡ ଫଡ ଶୁଭୁଥିଲା ।
ଉଦାସ ପ୍ରାଣରେ ମ୍ଳାନ ସ୍ଵପ୍ନ
ଏକ ନିଷ୍ଫଳ ପ୍ରୟାସ ,
ଯେମିତି କି ଲମ୍ବା ରାସ୍ତାଟିରେ
ଏକ ସୁଦୀର୍ଘ ପୂର୍ଣ୍ଣଚ୍ଛେଦ ।
ହେଲେ ସ୍ପଷ୍ଟ ଦୃଶ୍ୟ , ଅନୁଭୂତ
ନିଶ୍ଚଳ ବକ୍ଷର ଦୁର୍ଗରେ ,
କାହା ପହିଲି ବୁନ୍ଦାର ସ୍ପର୍ଶରେ ।
ଟପ ଟପ ସତେ ଅବା
କଳା ମେଘୀ ବଧୂର ନୂପୁର
ଶୁଣୁ ଶୁଣୁ ଅଳପ ବେଳରେ ,
କିଏ ଦେଲା ପ୍ରତିଶୃତି ନିରବରେ
ଚାଲିବାକୁ ଲମ୍ବା ବାଟ ସ୍ଵପ୍ନର ସାଥିରେ ।
ଲାଗୁଥିଲା ରାତିଟା
ସମ୍ପୂର୍ଣ୍ଣ ସନ୍ତର୍ପଣରେ
କଳା ମେଘୀ ବଧୂର ଆଗରେ ,
ଚେତନାର ନିରବତା
ଭାଙ୍ଗୁଥିଲା ଢେଉ ସିନା
ବିନା ଜୋଛନାରେ ।
ଖାଲି ଯେ ଜହ୍ନ ତାରା ,
ସଫେଦ ଆକାଶ ମାନେ
ଭରି ଦେବେ ଉତ୍ସାହ ...
ଦେଖିବାକୁ ସ୍ଵପ୍ନ ମାନ ସକାଳ ଯାଏଁ !
କେହି ବି କରିବେ ସ୍ପର୍ଦ୍ଧିତ ପ୍ରବେଶ
ଢାଳି ଶୀତଳ ପୀୟୂଷ ...
ହୋଇ ପାରେ ଏ ମୌସୁମୀ ବେଶରେ ।
***