ଝଡ଼ ତୁମେ ଆସ
ଝଡ଼ ତୁମେ ଆସ
ଆକାଶରେ ଝଡ଼ ଆସେ ,
କେବେ କେବେ ଧୂଳି ଝଡ଼
ଯାହା ଅଦୃଶ୍ୟ କରିଦିଏ
ଆଖପାଖର ଆପଣାଙ୍କୁ ,
କେବେ କେବେ କଳା ମେଘି ଝଡ଼
ଯାହା ନିବୁଜ କରିଦିଏ
ଆପଣା ଛାତରେ ଆପଣାକୁ ।
କେଇ ମୁହୂର୍ତ୍ତର ସେ ଝଡ଼ ...
ଆଶା ବନ୍ଧା ସମୟକୁ
ଦୀର୍ଘ ସିନା କରିଦିଏ ,
ହେଲେ ... କାହିଁକି , ପୁଣି ଥରେ
ସଂଚରି ଯାଆନ୍ତି ଆଶା ,
କୋଣରେ ଠେଲି ହୋଇ
ରହିଥିବା ବିଶ୍ଵାସ ଟିକକ ସାଥେ ,
ବ୍ୟାକୁଳ ହୋଇ ଉଠେ ...
କ'ଣ ଚାଖିବାକୁ ଜୀବନର
ଆହୁରି ଆହୁରି ସ୍ଵାଦ !
ସମୟର ଲହରୀ କାଟୁ କାଟୁ
ନୀଳ ବର୍ଣ୍ଣ ଲହରୀରେ ...
କେତେ ରାଗ ଆଉ ବାଗ ,
କିଏ କୂଳକୁ ଠେଲି ଦିଏ ତ
କିଏ ପୁଣି ଠେଲି ନିଏ କୂଳରୁ ।
ସୁଖରେ ହସେ , ଦୁଃଖରେ କାନ୍ଦେ
ଚୁପ୍ ରହେ ଅଭିମାନରେ ,
ମୋହର ଲହରୀରେ ଭାସେ
ଆସକ୍ତିର ଭଉଁରୀରେ ବୁଡି ଯାଏ ,
ଇତିହାସ ରଚିବାର ସ୍ଵପ୍ନ ଦେଖେ
ପୁଣି କେବେ ଆତ୍ମାକୁ କଳଙ୍କିତ କରିଦିଏ ।
ଜୀବନକୁ ଭାବେ ଅଭିଶପ୍ତ
ପୁଣି ଭାବେ ଅମୃତ ମୟ ,
ଦୁଇ ଆଖିରେ ଦେଖେ
ବିଶୃଙ୍ଖଳ ଚିତ୍ର ଆଉ ଚରିତ୍ର
ପୁଣି ସ୍ନେହ , ପ୍ରେମରେ ଭରି ଯାଇ
ଦେଖେ ସର୍ବଶ୍ରେଷ୍ଠ ରୂପ ।
ଆତ୍ମ ବିଶ୍ବାସର ଅମୃତ
କେଉଁଠୁ କେଜାଣି ପାଏ !
ଚଳୁଟିଏ ପିଇବାର ଅନୁଭବ କରେ
ଗୋଟିଏ ମୁହୂର୍ତ୍ତରେ ... ଗୋଟିଏ ଶ୍ଵାସରେ ।
ବାସ୍ ... ସିକ୍ତ , ରକ୍ତାକ୍ତ ଅନୁଭୂତି
ସାର୍ବଜନୀନ ସତ୍ୟର କରେ ଆବିଷ୍କାର ,
ଜୀବନର ଅନ୍ତର୍ଲିପି
ସଂଗ୍ରାମର ନିରବ ସାଧନା ।
ଝଡ଼... ତୁମେ ଆସ ଆସୁଥାଅ
ଧୂଳିର ଅବା କଳା ମେଘର ,
ଆତ୍ମ ଶକ୍ତିର ମହାମନ୍ତ୍ର
ନିଜ ଭିତରେ ନିଜକୁ ଏକଜୁଟ କରିଛି
ଜୀବନକୁ ସୌନ୍ଦର୍ଯ୍ୟମୟ କରିବାର
ନୂତନ ପ୍ରତିଶୃତି ଦେଇଛି ,
ଭଗ୍ନ , ବିଲୁପ୍ତ ସ୍ଵପ୍ନର ସମାଧି ଉପରେ
ନବ ସ୍ତୁପ ଗଢିବାର ଉନ୍ମାଦ ଭରିଛି ,
ବିନା ପାର୍ଥିବତାର ପ୍ରାଚୁର୍ଯ୍ଯ ଆଶାରେ
ଝଡ଼ ... ତୁମେ ଆସ ଆସୁଥାଅ ।