ମୁଁ ଶବ କହୁଛି
ମୁଁ ଶବ କହୁଛି
ବିସ୍ମୃତିର ଗର୍ଭ ଗୃହରୁ ପୁଣି ଥରେ
ଶବଟିଏ ହୋଇଗଲା ପରେ ,
ଚେଇଁ ଉଠିଲେ ... ନିଦ ଭାଙ୍ଗି
ମୋହ , ମମତା , ଆବେଗର
ସଂଭ୍ରାନ୍ତ ସଂସାର ଆଉ ସମାଜ ।
ଆଧୁନିକ ମଣିଷର ତୀକ୍ଷ୍ଣ ବୋଧ
ଭରିଥିବା ବିଶ୍ୱାସ ଓ ଆଶ୍ଵାସନା
ମୁହୂର୍ତ୍ତକେ ଭେଟି ଦେଇଛି
ଶୂନ୍ୟତା ବିବଶତାର ଅନ୍ତିମ ଯନ୍ତ୍ରଣା ।
ସାରା ବ୍ରହ୍ମାଣ୍ଡର ପଞ୍ଚ ଭୂତ
ଏଇ ପ୍ରଶ୍ଵାସରେ ଭରିଛି
କେବେ ସେଇ ପୁବେଇ ପବନକୁ ,
ବସନ୍ତରେ ପିଇ ପିଇ ଆମୋଦିତ
ସୁବାସିତ ଶାନ୍ତ ମଳୟକୁ ।
ହେଲେ ଆଜି ମୁକ୍ତ ରାହା ପାଇଁ
ଅଦୃଶ୍ୟ ଭୂତାଣୁର ବିରୋଧାଭାସ ...
ଖାଲି ଚକିତ କରିନି -
ମୁଁ ଗୋଟେ ମଣିଷର ଅହଂକୁ
ଭାଙ୍ଗି ଚୁରମାର କରି ଦେଇଛି ,
ଅସହାୟ ଜୀବନର ସଂକ୍ଷିପ୍ତ ମର୍ମକୁ
ନିର୍ଯ୍ୟାତିତ ଚରିତ୍ରଟେ ଚୁପ୍ ଚାପ୍ ଭୋଗୁଛି ।
ଟାଣ ଛାତି ଟାଣି ହୋଇ
କାତରରେ ଅବଶ ହେଲାଣି ,
ବଞ୍ଚିବାର ଅଧିକାର ବୋଧ
ମଥାନତ କରି ସାରିଲେଣି ,
ଆଉ , ପ୍ରଚଣ୍ଡ ଲିପସା ମାନେ
ପରାସ୍ତ ଯୋଦ୍ଧା ସାଜିଲେଣି ।
କେବଳ ... ମୃତ୍ୟୁର ଆଶ୍ଵାସନା
ଚିରନିଦ୍ରାର ଶାନ୍ତି ତା'ରି କୋଳରେ !
ବଞ୍ଚିବାରେ ମାଦକତା ନ ଥିଲା
ମୁର୍ଦ୍ଦା ହେବାରେ ବି ନାହିଁ
ଆଦିମ ସେ ହରିଜନ ହୀନଜନ ପରି
ଅସ୍ପୃଶ୍ୟ ମଣିଷଟେ ହୋଇଗଲା ପରେ ,
ଶରୀରଟା ଶବ ହୋଇ ପଡିଛି ଧାଡ଼ିରେ
ପ୍ରତୀକ୍ଷା କରିଛି ପାଉଁଶ ହେବାକୁ
ଚିତା ହୋଇ ଶେଷ ନିଆଁର ସ୍ପର୍ଶରେ ।
କୃତିମ ବାୟୁର ଅଭାବରେ ,
ଶ୍ଵାସରୁଦ୍ଧ ହୋଇଗଲା ପରେ ,
ମୋ ମରିବାଟା କୃତିମ କି ପ୍ରାକୃତିକ
ମୁଁ କେମିତି ଭାବିବି ?
ମୋତେ ଅଦୃଶ୍ୟ ଭୂତାଣୁ ନୁହେଁ ,
ଶବ ଦେହେ ବିଶ୍ଵାସ ପଶିଛି ...
କେହି ନା କେହି ଅଦୃଶ୍ୟ
ମୋ ଗଳାକୁ ଚାପିଛି ,
ମୁଁ ସତ କହୁଛି ... ମୁଁ ଶବ କହୁଛି ।
***