ବନବାସିନୀର କଥା
ବନବାସିନୀର କଥା
କଲବଲେ ଅତି କରୁଛି ମିନତି
ଶୁଣ ହେ ଓଡ଼ିଆ ଭାଇ
ଥାଉ ରାଜନୀତି ଦିନ ଯାଏ ବିତି
ଉପାସରେ ବଞ୍ଚି ଥାଇ ।
କନ୍ଧମାଳ ଝିଅ ସାହା ଟିକେ ଦିଅ
କେତେ ବା କହିବି ଆଉ
ଘରେ ନାହିଁ ଜାଉ କୋଇଲିକି ଖାଉ
ମରେନି ଭୋକର ଦାଉ ।
ଇଏ କି ବିକାଶ ହୋଇଛି ନିକାଶ
ଆସିଲେ ଯହୁଁ ବେପାରୀ
ବନସ୍ତର ଧନ ବୋହିନେଲେ ଜନ
ଆମଠୁ ଦୂର ସେପାରି ।
ପାହାଡ ତଳରେ ସାଧନ ବଳରେ
କରିଲୁ ଯେତେକ ଚାଷ
ଅଶନ ଅଭାବେ ପ୍ରାଣୀଏ ସ୍ୱଭାବେ
ଖାଇ କଲେ ସବୁ ନାଶ ।
ହେଲେ ରୋଗବ୍ୟାଧି ତନ୍ତ୍ର ମନ୍ତ୍ର ସାଧି
ଉପାୟ କହଇ ଓଝା
ଏ ମୁଲକେ କାହିଁ ଡାକତର ନାହିଁ
ନିଇତି ପଡଇ ଖୋଜା ।
ସରକାରୀ ବାବୁ
ନିତି କରେ କାବୁ
ନିରୀହା ଅବଳା ଝିଅ
ଦୁଇଚାରି ଦିନେ ମହତ ତା ଛିନ୍ନେ
ଆଉ କି ମିଳଇ ଖିଅ ।
ଜନଜାତି ହିତେ ବେଳକାଳ ବିତେ
ଯୋଜନା ମାଳକୁ ମାଳ
ସୁବିଧା ଯେତେକ ଚତୁର କେତେକ
କରନ୍ତି ହରଣଚାଳ ।
କି ପାଇଲେ ଦୀକ୍ଷା ନାହିଁ ଏଠି ଶିକ୍ଷା
ଶିକ୍ଷକ ସେ କିଏ ବୋଲି
ପିଲାଏ ଆମର ସତେ କି ପାମର
କହି ନ ପାରନ୍ତି ଖୋଲି ।
ପୋଡିଛି କି କର୍ମ ବରି ଆନ ଧର୍ମ
ସଭିଏଁ ମାତିଲେ ତହିଁ
ଯେହେତୁ ନ ପାଳ ଆଦରି କପାଳ
ସୁବିଧା ମିଳଇ ଯହିଁ ।
ଏତେ ଜାଣି କର ପତାଇଛି ଧର
ଜାଗ ହେ ଭଉଣୀ ଭାଇ
ନିଦାନରେ କଥା ଟେକିଥିବ ମଥା
କା' ଆଗେ କହିବି ଯାଇ ?
ପ୍ରସନ୍ନ କୁମାର ମାଦଳା