ନିରସ୍ତ୍ର ଉଦୟ ରାଗେ
ନିରସ୍ତ୍ର ଉଦୟ ରାଗେ
ସକାଳର ଏହି ଉଦୟ ରାଗରେ
ଅକାଳ ପରାଗ ଗ୍ରାସି
ଲଲାଟ ଆକାଶେ ସୌନ୍ଦର୍ଯ୍ୟର ଛଟା
ରାହୁ କିବା ଦେଲା ନାଶି ?
ସୀମନ୍ତରେ ଯହିଁ ସିନ୍ଦୂରର ବିନ୍ଦୁ
ତପନ ସଦୃଶ ଶୋହେ
ସୀମାନ୍ତରେ ଯାଇ ଲିଭିଛି କେଉଁଠି
ଶୋକରୋଳ ଶୁଭେ କୋହେ ।
ମହାକାଳ ଆଜି କରିଛି ଉଦାସ
ଅନତି ଦୂରର ଗଳି
ତତ୍କାଳ ପ୍ରଭାବେ ଖବର ଆସିଛି
ବୀର ଦେଲା ଆତ୍ମବଳି ।
ମଧୁର ଭାଷିଣୀ ନବ ଯଉବନା
ନିତି ଆସେ ଏହି ବାଟେ
ଲାଗେ ନିଜ ପରି ତା' କଥା ବିଚାରି
ଦୁଃଖରେ ଅନ୍ତର ଫାଟେ ।
ସୁନ୍ଦରତା ଥିଲା ପ୍ରକୃତିରେ ତା'ର
ସରଳ ଥାଏ ବି ପିନ୍ଧା
ଆରମ୍ଭରୁ ଏହି ଦୁରବସ୍ଥା ଶୁଣି
ଅଦୃଷ୍ଟେ କରୁଛି ନିନ୍ଦା ।
ପ୍ରଭାତରୁ ଉଠି ମଙ୍ଗଳ ମନାସି
ଆସେ ପତିବ୍ରତା ତୁଲ
ଅନୁମତି ନେଇ ଆମ ବଗିଚାରୁ
ତୋଳି ନିଏ ପୂଜାଫୁଲ ।
ଫୁଲ ପରି ଯେଉଁ ସୁହାଗିନୀ ବେଶ
ହସହସ ପଦ୍ମମୁଖ
ଆଉ ବିକଶିତ ହେବ ବା କିଭଳି
ବିହି ତ ଲେଖିନି ସୁଖ ।
କିଛି ଦିନ ତଳେ ସେନାର ଆଦେଶ
ସହସା ପାଇବା କ୍ଷଣି
ଦେଶର ଆହ୍ୱାନେ ଯାଇଥିଲେ ପତି
ପରମ କର୍ତ୍ତବ୍ୟ ମଣି ।
ମଗ୍ନ ବୀରରସେ ଉତ୍ସାହିତ ହୋଇ
ଶତ୍ରୁ ସହ ଯୁଝି ଯୁଝି
ବୀରଗତି ପ୍ରାପ୍ତ ହେଲେ ଅଚାନକ
ମାତୃକାର ଋଣ ଶୁଝି ।
ବିହ୍ୱଳ ବ୍ୟଥିତ ପ୍ରାଚୀ ଗଗନର
ନିରସ୍ତ ଉଦୟ ରାଗେ
ବିରହ-ବିଧୁରା ଆସିବ କି ନାହିଁ
ସଂସାର ନଶ୍ୱର ଲାଗେ ।