ଧର୍ମଛଡ଼ା
ଧର୍ମଛଡ଼ା


ଅଳୀକ ବନ୍ଧନେ ଉପାର୍ଜିତ ଧନେ
ପ୍ରିୟ ପରିଜନେ ପୋଷି
ଅନୀତିରେ ଚଳି ଧୃତରାଷ୍ଟ୍ର ଭଳି
ଧର୍ମଦ୍ୱାରେ ହେଲି ଦୋଷୀ ।
ଅନ୍ତରାତ୍ମା ସାକ୍ଷୀ ଅନ୍ଧ ଥିଲା ଆଖି
ପକ୍ଷପାତେ ଅନୁଦାରେ
ବଞ୍ଚି ସ୍ୱାର୍ଥ ମୋହେ ଅପକର୍ମ ଦ୍ରୋହେ
ନିନ୍ଦିତ ମୁଁ ବସୁଧାରେ ।
ଠୁଳ କଲି ଯାହା ବୋଧହୁଏ ତାହା
ଅଧର୍ମ ହିଁ ଅପ୍ରମିତ
ସଂଗ୍ରହର ଇଚ୍ଛା ଛାଡ଼ି ନାହିଁ ପିଛା
ହୋଇନି ବି ପ୍ରଶମିତ ।
ଦାନଧର୍ମ ବିନା ଭଣ୍ଡାର ମୋ' ସିନା
ରଖିଥାଏ ଭରପୂର
ଗଚ୍ଛିତ ସମ୍ପତ୍ତି ବଢ଼ାଇବା ପ୍ରତି
ଆଗ୍ରହ ନ ହୁଏ ଦୂର ।
କଦବା କ୍ଵଚିତ ବଳେ ଯହିଁ ଚିତ୍ତ
ପୁଣ୍ୟ ପଥେ ଅପବର୍ଗ
ସନ୍ଧାନ ନକରି ଯଦି ଯାଏ ମରି
ସୁଲଭ ହେବ କି ସ୍ୱର୍ଗ !
ବଳବପୁ କାୟେ ନାହିଁ ଆଉ ପ୍ରାୟେ
କି ଲାଭ ତାରିଖ ଗଣି
କ୍ଷୀଣ ହେଲେ ବାୟୁ ଅକସ୍ମାତ ଆୟୁ
ପୂରିଯିବ ସେହିକ୍ଷଣି ।
କଲି ଯେତେ ଭୋଗ ବଢ଼ିଯିବ ରୋଗ
ଧର୍ମଛଡ଼ା ଏହି ରାହା
ପର ଉପକାର ବିନା କି ପ୍ରକାର
ମିଳିବ ଦୁର୍ଦ୍ଦିନେ ସାହା ?