ଶମଶାନ
ଶମଶାନ


ଆସେ ଏହି ବାଟେ ଶମଶାନ ଘାଟେ
ଶବଯାତ୍ରା ବାର ବାର
ମୋତେ ନିଏ ଟାଣି ଗାଆଁର ମଶାଣି
ସତେ କି ସରଗ ଦ୍ୱାର !
ସେହି ଜନ୍ମଭୂଇଁ କୋଳରେ ମୋ' ଜୁଇ
ପ୍ରସ୍ତୁତ କରିବେ ଲୋକେ
ପ୍ରିୟ ପରିଜନ ମାରିଦେଇ ମନ
ସ୍ମୃତି ସାଉଁଟିବେ ଶୋକେ ।
ଚେତାଶୂନ୍ୟ ଭଳି ଚିତାରେ ମୁଁ ଜଳି
ଅଚିନ୍ତାରେ ଥିବି ଯେବେ
ଅଧା ଥିବ କାମ ମୋର ଗୁଣଗ୍ରାମ
ଆଲୋଚନା ହେବ ସେବେ ।
ଛଡ଼ାଇ କାହାର ମୁଖରୁ ଆହାର
ଅମାରେ କରିଛି ଭର୍ତ୍ତି
କା' ଘର ଅନ୍ଧାର କରି କେତେବାର
ମୋ' ଘରେ ଜାଳିଛି ବତୀ ।
କଦବା ହିଂସାରେ ପାଖ ପଡ଼ିଶାରେ
ଲିଭିଛି ମୋ' ପାଇଁ ଚୁଲି
ଜାଣିଥିବ ଯିଏ ମନରୁ କି ସିଏ
ପାରିବ କଦାପି ଭୁଲି ?
ଭାଳି ଏତେକଥା ଭରିଯାଏ ବ୍ୟଥା
ଦୋଷାଦୋଷ ନିରୀକ୍ଷଣେ
ଅନ୍ୟ ଭରସାରେ ବଞ୍ଚି ଏ' ସଂସାରେ
ନିଜକୁ ଅଯୋଗ୍ୟ ମଣେ ।
ପାପପୂଣ୍ୟ ହେଜି ଅଧର୍ମକୁ ତେଜି
କର୍ତ୍ତବ୍ୟେ ନକରି ଊଣା
ପରହିତେ ଧ୍ୟାନ ରଖିଥିଲେ ଆନ
କେହି ନକରିବେ ଘୃଣା ।