STORYMIRROR

Jayashree Das

Inspirational

4  

Jayashree Das

Inspirational

ହେରାପଞ୍ଚମୀ

ହେରାପଞ୍ଚମୀ

1 min
370


ଏ ହେରାପଞ୍ଚମୀ ପ୍ରୀତିର ସୁରଭି,

   ଦାମ୍ପତ୍ୟର ଗାଥା ଗାଏ।

ମହାପ୍ରଭୁଙ୍କର ଅନୀତି ବିଚାର,

   ଜଗତେ ପ୍ରକାଶ ପାଏ।


ଭାଈ ଭଉଣୀଙ୍କୁ ସଂଗତରେ ନେଇ,

  ମାନବୀୟ ଲୀଳା କରି,

ଜନ୍ମବେଦୀ ମୋହେ ଗୁଣ୍ଡିଚା ନବରେ,

   ଯାଇଥାନ୍ତି ପ୍ରଭୁ ହରି।


ମାତା ପଦ୍ମାଳୟା ଶ୍ରୀ ମନ୍ଦିରେ ଏକା,

   ଜଗନ୍ନାଥ ଛାଡିଗଲେ।

ଅଭିମାନେ ମା ରାଗେ ଗର ଗର,

   ବିମଳାଙ୍କୁ କହିଦେଲେ।


ସ୍ୱାମୀ ସୋହାଗିନୀ ସାଗର ଦୁଲଣୀ,

  ଦୁଃଖିତ ଅନ୍ତର ମନେ।

ପକ୍ଷପାତ ନୀତି ଆଚରିଲେ ପ୍ରଭୁ,

  ନେଲେ ନାହିଁ ଜନ୍ମ ସ୍ଥାନେ।


ସେ ଅଭିମାନିନୀ ମୋହ ଚୁର୍ଣ୍ଣ ନେଇ,

   ବଶୀଭୂତ କରିବାକୁ।

ବିମଳାଙ୍କ ଆଜ୍ଞା ପ୍ରମାଣେ ଚଳନ୍ତି,

  ବାହାନା ଦେଖା ହେବାକୁ।


ନାକଚଣା ଦ୍ୱାର ଦେଇ ମା ଯାଆନ୍ତି,

  ଆଡପ ମଣ୍ଡପ ପାଶ।

ଦେଢଶୁର ଛନ୍ତି କହିପାରନ୍ତି,

   କେତେ କରିଛନ୍ତି ରୋଷ।


ଅଧର ଚୁମ୍ବିତ ମାଳା ଦେଇ ପ୍ରଭୁ,

  ଫେରିବେ ଦିଅନ୍ତି କଣ୍ଟ।

ମହାଦେଇଙ୍କର ମାନ ଭାଙ୍ଗେ ନାହିଁ,

   ନନ୍ଦିଘୋଷ ପରେ ଆଣ୍ଟ।


ମୋହ ଚୁର୍ଣ୍ଣ ଫିଙ୍ଗି ଜଗନ୍ନାଥ ପରେ,

   କଟାକ୍ଷରେ କଥା କହି।

ଶୀଘ୍ର ଫେରିବାକୁ ଆକୁଳ ବିନୟ,

   କରନ୍ତି ସେ ମହାଦେଇ।


ରଥକୁ ଭାଙ୍ଗନ୍ତି ସିନ୍ଧୁରାଜ ଜେମା,

   ଶ୍ରୀକ୍ଷେତ୍ରର ଅଧିଶ୍ବରୀ।

ସାରା ବ୍ରହ୍ମାଣ୍ଡର ଐଶ୍ୱର୍ଯ୍ୟ ଯା ପାଦେ,

   ହୁଅନ୍ତି ସେ ଏତେ ସରି ।


ବିମାନ ଆରୋହୀ ପରିଚାରୀ ସହ,

  ହୀରାଗୌରୀ ସାହି ଦେଇ।

ଶ୍ରୀମନ୍ଦିରେ ଆସି ଲକ୍ଷ୍ମୀ ଠାକୁରାଣୀ,

   ପ୍ରତୀକ୍ଷା କରନ୍ତି ସେହି।


ବଚନ ଦିଅନ୍ତି ସେ କଳା ଠାକୁର,

  ଭୁଲିଯାନ୍ତି ମହାବାହୁ ।

ମହାବେଦୀ ପରେ ମହାରାସ ହୁଏ,

   ଗୁପ୍ତ ବୃନ୍ଦାବନ ଏହୁ।


ନବଦିନାତ୍ମକ ଯାତ୍ରା ସାରିପ୍ରଭୁ,

   ବାହୁଡା଼ ରେ ବାହୁଡ଼ିଲେ।

ଭ୍ରାତା ବଳଭଦ୍ର ଭଉଣୀ ସୁଭଦ୍ରା,

   ଶ୍ରୀମନ୍ଦିରେ ବିଜେ କଲେ।


କବାଟ ପଡିଲା କାଳିଆ ହାତୀକୁ

  ସିଂହଦ୍ୱାରେ ଉଭା ହୋଇ।

କାକୁତି ମିନତୀ କରନ୍ତି ଗୋସାଇଁ,

   ଶୁଣନ୍ତିନି ମହାଦେଇ।


ଚାହାଣୀ ମଣ୍ଡପେ ସଖୀଙ୍କ ଗହଣେ,

   ଇନ୍ଦିରା ସେ ଲୋକମାତା।

କଟୁକ୍ତି ବଚନ କରନ୍ତି ପ୍ରୟୋଗ।

  ପ୍ରଭୁ ହେଉଥାନ୍ତି ହଟହଟା।


ରସଗୋଲା ଦେଇ ତ୍ରୈଲୋକ୍ୟ ସାଇଁ,

  ମାନ ଭାଙ୍ଗି ଲକ୍ଷ୍ମୀଙ୍କର।

ନୀଳାଦ୍ରୀ ବିଜୟ କରନ୍ତି ଠାକୁର,

   ଖୋଲିଯାଏ ସିଂହଦ୍ୱାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational