ତୁମକୁ ମୁଁ ଭଲପାଏ ପ୍ରଭୁ
ତୁମକୁ ମୁଁ ଭଲପାଏ ପ୍ରଭୁ
ଯେତେବେଳେ ହୃଦୟରେ ଗଭୀର ଶୂନ୍ୟତା
ଖୋଜୁଥାଏ ମୁଠା ମୁଠା ଛାଇ
ଅସ୍ଥି ଚର୍ମ ତଳେ ଛପିଥିବା ଦୁର୍ବଳତା
ଲଙ୍ଘିଆସେ ଲୁହ ଲହୁ ଦେଇ ।
ଲୋଭନୀୟ ଶୀତଳତା ଅଭୟ ଆଶ୍ରୟ
ଆସ ତୁମେ ଇନ୍ଦ୍ରଜାଲ ପ୍ରାୟେ
ଗ୍ରାସକରି ସମୁଦାୟ ଚେତନାକୁ ମୋର
ବୈଦ୍ୟୁତିକତାର ତରଙ୍ଗ ଖେଳାଏ ।
ଶିରାପ୍ରଶିରାରେ ଅପୂର୍ଵ ରୋମାଞ୍ଚ ମୋର
ଅନନ୍ୟ ସେ ଅନୁଭବ ପ୍ରିୟ
କିସମ କୁସୁମ ଫୁଟେ ସୁବାସ ଚହଟେ
ଅସୁମାରୀ ସ୍ବପ୍ନ ଭାବମୟ ।
ଆଶାଗ୍ରସ୍ତ ରୂପାଖଣ୍ଡ ବାଦଲ ପରାୟେ
ଜୁଆରିତ ଅଥୟ ଅସ୍ଥିରେ
ଦୋଳିଖେଳେ ପ୍ରୀତି ପୁଷ୍ପ ମନ ଅଗଣାରେ
ଆଖିଲାଖେ ଅମରାବତୀରେ ।
ନୀଳ ନୀଳ ଚନ୍ଦ୍ରଶାଳା ଅତି ଶୋଭାବନ୍ତ
ସବୁ ଦୃଶ୍ୟ ଅତି ମୁଗ୍ଧକର
ନିଶବ୍ଦରେ ନିରୋଳାରେ ଗୁଞ୍ଜରିତ ହେଉଥାଏ
ପ୍ରଭୁ ତୁମ ଜୟ ଜୟକାର ।
ତୁମର ସେ ପାଦପଦ୍ମ ତଳେ ସମର୍ପିବି
ଅର୍ଥହୀନ ଯେତେକ କୃତିତ୍ୱ
ନିଜକୁ ମୁଁ ପଳପଳ ଜାଳିବାକୁ ଚାହେଁ
ଉନ୍ମାଦନା କରି ପ୍ରଚୋଦିତ ।
ରୂପାନ୍ତର ଲୋଡ଼େ ମୁହିଁ ଅନ୍ତହୀନ ସତ୍ୟ
ତୁମ ଆଗେ ଭିକ୍ଷା କରେ ପ୍ରେମ
ମହାପ୍ରଭୁ !!ଆତ୍ମା ଲୋଡ଼େ ବନ୍ଦିନୀ ହେବାକୁ
ତୁମ ପାଶେ ଏତିକି ମୋ କାମ୍ୟ ।
ମଧୁର ସଂସାର ପିତା, ତୁମ ସାନିଧ୍ୟ୍ୟରେ
ପବନରେ ମିଠା ବାସ୍ନା ଭାସେ
ପାଲଟେ ମୁଁ ଭିନ୍ନ ଏକ ପୃଥିବୀର ଲୋକ
ସେଇ ମୁହୂର୍ତ୍ତରେ ସବୁ ମିଛ ଦିଶେ ।
ତୁମେ ଲାଗ ମହାବାହୁ ଅସୀମ ବିଶାଳ
ଏକାନ୍ତ ମର୍ତ୍ତ୍ୟ ବୈକୁଣ୍ଠରେ
ପ୍ରାର୍ଥନା କରେ ନିରନ୍ତର ନିରସ୍ତ୍ର ମୁଦ୍ରାରେ
ଅମୃତର ଅନନ୍ତ ତୃଷାରେ ।