ହୃଦୟ ମନ୍ଦିରେ
ହୃଦୟ ମନ୍ଦିରେ
ହୃଦୟ ମନ୍ଦିରେ ଭାବର ରଥରେ
ମନ ନୀଳାଚଳ ପୁରେ
କୋଟି ଭକତର ଭାବ ବିନୋଦିଆ
ବସିଛ କଳା ଠାକୁରେ ।
ତୁମେ ନାହଁ ପ୍ରଭୁ ଶକ୍ତିରେ ଭୁକ୍ତିରେ
ଗଦା ଗଦା ଫୁଲମାଳେ
ଭୋଗ ଐଶ୍ୱର୍ଯ୍ୟରେ ଛପନ ଭୋଗରେ
ନାହଁ ହେ ଦେଵ ଦେଉଳେ ।
ଚିତ୍ରରେ ନୁହେଁକି ପ୍ରତିମାରେ ନୁହେଁ
ଚରିତ୍ର ସମ୍ମାନ ନୁହେଁ
ବ୍ୟାପ୍ତି ପ୍ରଶସ୍ତିରେ ଅବା କୀର୍ତ୍ତନରେ
ପୂଜା ମନ୍ତ୍ରରେ ବି ନୁହେଁ ।
ଓଲ୍ହାଇ ଆସିଛ ବଇକୁଣ୍ଠ ଛାଡ଼ି
ଶ୍ରୀବତ୍ସ ଗୋଇଠା ପାଇଁ
ତୁମେ ଆସିଥାଅ ଭାବରେ ପ୍ରେମରେ
ଶବରୀ ଅଇଁଠା ଖାଇ ।
ପାଷାଣ ଭିତରୁ ନାରୀକୁ ଉଦ୍ଧାରୀ
କୈବର୍ତ୍ତେ ପାଦ ବଢ଼ାଇ
ଆସିଥାଅ ତୁମେ ଅଚିନ୍ତ୍ୟ ଅନନ୍ତ
ନିର୍ମୋହୀ ତୁମେ ବିଦେହୀ ।
ମୀରାର ଭକ୍ତିରେ ଅଜସ୍ର ଶକ୍ତିରେ
କଷ୍ଟ ବିମୋଚନ କରି
କୁରୁକ୍ଷେତ୍ରେ ଗୀତା ଜୀବନ ମନ୍ତ୍ରକୁ
ଅର୍ଜୁନର ହାତ ଧରି ।
ରଖିଲ ଇଜ୍ଜତ କୁରୁସଭା ତଳେ
ସଖି ଭାବେ ଯାଜ୍ଞସେନୀ
କୁବୁଜାର କୁଜ ହେଲା ଅନ୍ତର୍ଦ୍ଧାନ
ଲାଗି ତୁମ ଭୂଜ ବେନି ।
ନୀଳକନ୍ଦରରୁ ବଢ଼ାଇଲ ହସ୍ତ
ଶ୍ରୀଫଳ ଶରଧା କଲ
ଦାସିଆ ଭକ୍ତିର ଶକ୍ତିରେ ଗଡିଆ
ପାଣିରେ ରଥେ ବସିଲ ।
ଯାଜପୁର ବନ୍ଧୁ ଭାବର ଡୋରୀରେ
ଦିବ୍ୟ ବ୍ୟଞ୍ଜନ ଖୋଇଲ
ସୁବର୍ଣ୍ଣ ଥାଳିରେ ଆପଣା କରରେ
ପ୍ରସାଦ ସମର୍ପି ଦେଲ ।
ବାଲିର ରଥରେ ବଳରାମ ଦାସ
ତୁମକୁ ବାନ୍ଧି ରଖିଲା
ଭକ୍ତ ସାଲବେଗ ଡାକରେ ତୁମର
ନନ୍ଦିଘୋଷ ଅଟକିଲା ।
ଜଗନ୍ନାଥ ଦାସେ ନାରୀଭାବ ଦେଇ
ରାଜରୋଷୁ ରକ୍ଷାକଲ
ହେ ଦାରୁମୂରତି କେତେଯେ କାହାଣୀ
କୋଟି ହୃଦୟେ ଲେଖିଲ ।
ମନ୍ଦିରରେ ଖୋଜି ନିରାଶ ହୋଇଛି
ରହିଛ ହୃଦ ମନ୍ଦିରେ
ଦିବ୍ୟ ଦୃଷ୍ଟି ଦିଅ ହେ ଚକାନୟନ
ଦେଖିବି ତୁମକୁ ଥରେ ।