ବରଷା ଲେଖିଛି ମିଳନ ଚିଠି
ବରଷା ଲେଖିଛି ମିଳନ ଚିଠି
ପ୍ରେମିକା ଗାଁରେ ବରଷା ବର୍ଷିଲେ
ମୋ ଗାଁ ରେ ଚପଳା ଖେଳେ,
ତା ମନ ଗହନେ ବନ୍ୟା ବିଭୀଷିକା
ମୋ ଅନ୍ତରେ ଲହଡି ଦୋଳେ ।
ଝିପି ଝିପି ମେଘ ଘଡଘଡି ସହ
ଦେଖିଲେ ଡରଇ ହୃଦୟ ରାଣୀ
ନଈ ଏପାଖରେ ଘର ଟି ମୋହର
ବରଷାରେ ହୁଏ ଅକାତ ପାଣି ।
କୂଳ ଲଂଘେ ଯେବେ ବରଷାର ଜଳ
ମାନସୀ ଆଖିରେ ଭୟର ଛାୟା,
ମନ ମୀନ ମୋର ଆକର୍ଷି ହୁଅଇ
ପତଙ୍ଗ ଯେସନେ ଦେଖିଲେ ନିଆଁ ।
ପୁରନ୍ତା ନଈରେ ହୁଲି ଡ଼ଙ୍ଗା ଯେବେ
ଦୋହଲି ଦୋହଲି ଭାସି ଆସଇ
ଚିତ୍ରଲେଖା ପ୍ରାୟ ସୈକତ ରେଣୁରେ
ପ୍ରିୟା ବସିଥାଏ ମଉନ ହୋଇ ।
ବରଷା ଜଗାଏ ହୃଦରେ ବାସନା
ବିରହେ ବିଧୁରା ହୁଅଇ ପ୍ରିୟା.
ଚନ୍ଦ୍ରାନନା ମୋର ପଥକୁ ଅନାଇ
ଗବାକ୍ଷ ନିକଟେ ହୁଅଇ ଠିଆ ।
ଦେହକୁ ଭିଜାଏ ବରଷା ଧାରାରେ
ଇନ୍ଦ୍ରଧନୁ ରଙ୍ଗ ଓଠରେ ଲେସି,
ଚନ୍ଦ୍ରମଲ୍ଲୀ ହସ ବିଛୁରି ପଡଇ
ଅବେଳରେ ମୋର ଅଗଣା ଆସି ।
ପଥ ଭ୍ରଷ୍ଟ ଯୋଗୀ ପରାଏ ଚେତନା
ବରଷା ଢାଙ୍କଇ ବଉଦ ତଳେ,
ଛୁଇଁବାକୁ ପ୍ରିୟା ନରମ ତନୁକୁ
ହୃଦୟ ବରଷା କାଳରେ ଭାଳେ ।
ଅମାନିଆ ମନ ଝୁରି ହେଉଥାଏ
ନହୁଲୀ ବୟସୀ ଅଳସୀ କନ୍ୟା ,
ନଈ ସେପାଖରେ ଲାବଣ୍ୟବତୀ ମୋ
ପହିଲି ବରଷା ଆଣିଛି ବନ୍ୟା ।
ବରଷାର ଋତୁ ପ୍ରେମ ଋତୁ ପରା
ଦୁଇଟି ହୃଦୟ କରଇ ଓଦା,
ଦୂରେ ଥିଲେ କାନ୍ତ, କାନ୍ତା ଖୋଜିହୁଏ
ପ୍ରିୟ ଆଶ୍ଳେଷରେ ହେବାକୁ ବନ୍ଧା ।
ବିରହ ବେଦନା ବିରହୀ ଆତ୍ମାକୁ
ସିକ୍ତ କରେ ପ୍ରେମ ନିର୍ମଳ ଜଳେ,
ବରଷା ଲେଖଇ ମିଳନ ଚିଟାଉ
ପ୍ରେମିକ ପ୍ରେମିକା ହୃଦୟ ତକେ ।

