STORYMIRROR

Abanikanta Sahu

Romance Classics Inspirational

4  

Abanikanta Sahu

Romance Classics Inspirational

ରାମ ରୋଦନ

ରାମ ରୋଦନ

2 mins
307


ରଘୁକୁଳ ମଣି  ଘରଣୀ ହରଣେ

   ସୀତା ବିହୁନେ ସନ୍ତପ୍ତ,

ରୋଦନେ କରୁଣ ଦୁଃଖଚିତ୍ତେ ଅତି

   ରାଘବ ବନେରେ ଗ୍ରସ୍ତ।

ହା ସୀତେ! ହା ସୀତେ! ମୁଖେ ଉଚ୍ଚାରିଣ

   ବିଳାପ କରି ଧାବନ୍ତି,

ଭାରତ ରାଜନ  ଦୁଃଖେ ମ୍ରିୟମାଣ

   ଜଗତ ଦେଖି କାନ୍ଦନ୍ତି।

ଯାହାର ଇଙ୍ଗିତରେ ସଂସାର ଚଳିତ

   ସଂସାରୀ ମାନବ ସମ

ପ୍ରିୟାର ବିୟୋଗେ  ବାହୁନି କ୍ରନ୍ଦନ

   କରି କରନ୍ତି ଧାବନ।

ଯେସନେ ଜଳଦ ଜଳ ବିହୁନରେ

  ଶୁଷ୍କ, କ୍ଷୀଣ ତା' ଶରୀର,

ରଘୁକୁଳ ଶ୍ରେଷ୍ଠ କ୍ଳାନ୍ତ ଓ ଅତିଷ୍ଠ

  ପ୍ରିୟା ପ୍ରେମେ ସେ ଅଧୀର।

ଯା' ଧନୁ ଟଙ୍କାରେ ବିଶ୍ୱ ଭୟଭୀତ

  ସେ ଭୟେ ଭ୍ରମଣ କରେ,

କେଉଁ ବଳଶାଳୀ ଛଳେ ବଳେ ହରି

   ନେଲା ସୀତୟା ସାଙ୍ଗରେ।

ଅଯୋଧ୍ୟା ରାଜନ କର ଯୋଡି କ୍ଷମା

    ଯାଚନା କରନ୍ତି ସର୍ବେ

ହେ ବନ ବନାନୀ ସ୍ଥାବର ଜଙ୍ଗମ

   ଦୟା କର ଛାରେ ଲବେ।

ଯା'ର ପଦସ୍ପର୍ଶ  ପାଇକି ପାଷାଣ

   ଅହଲ୍ୟା ଉଦ୍ଧାର ହେଲେ

ସେ ଆଜି ପାଷାଣ ପାଶେ ଶିର ପାତି

   ବିନମ୍ର ବିନତୀ କରେ। 

ହେ ପର୍ବତ ଗଣ ଗୁହାରୀ ମୋ ଶୁଣ

  ଜାଣ କି ସୀତା ଠିକଣା?

 ମୋ ଅର୍ଦ୍ଧାଙ୍ଗିନୀ ଜନକ ନନ୍ଦିନୀ

  ହେଲା କିବା ପଥ ବଣା?

ଆହେ ବଳାହକ ସ୍ୱର୍ଗ ପଥେ ଚଳ

  ଦେଖିଛ କି ମୋ ପତ୍ନୀକୁ?

ଦିଗନ୍ତ ଦର୍ଶନ କରି ଦେଖବାରେ

  ମାର୍ଗ ବତାଅ ଯିବାକୁ।

କେଉଁଦିଗେ ରାମା ହଜି ଯାଇଅଛି

   ତା ରାମ, ତା' ବିନା ଶୂନ୍ୟ

ଜଗତ ଅନ୍ଧାର ମୁଁ ନେତ୍ର ବିହୀନ

  ଜଳ ବିନା ପରି ମୀନ।

ହେ ମରୁତ ହୁଅ ବାରେ ଦୟାବନ୍ତ

  ତୁମେ ସର୍ବତ ବିଦିତ

କୁହ ମୋରେ ମୋର ପ୍ରାଣସଖୀ ବାର୍ତ୍ତା 

   ହରାଇ ମୁଁ ମର୍ମାହତ।

ନୀଳ ନଭ ନଇଁ  ଉତ୍ତାଳ ମସ୍ତକ

   ବାରେ କରେ ହେ ଦର୍ଶନ,

ତୁମରି ନୟନ  ଆଗରୁ କିପରି

   ସୀତା ହୋଇଲା ହରଣ?

ଦୀନନାଥ ଦେନେ ତୁମେ ବିଦ୍ୟମାନ

    ବୁଜିଥିଲକି ନୟନ?

ଅବଳା ମୋ ଭାର୍ଯ୍ୟା ଥିଲାତ କୁଟୀରେ

    କରିନାହଁ କି ଦର୍ଶନ।

ଦୂର ଦିଗବଳୟେ ଥାଇଗୋ ଚନ୍ଦ୍ରମା

   ତୁମ ନେତ୍ର କି ଦେଖିଛି?

ତୁମ ମୁଖ ସମ ସୁନ୍ଦରୀ ସୀତୟା

   କେଉଁଠି ହଜିଯାଇଛି।

ଆହେ ତରୁ,ତୃଣ କିପଥେ ଗମନ

  କଲା ମୋର ପ୍ରିୟତମା

ଥିଲାକି ଏକାକି କିବା ବଣ୍ୟ ଭକ୍ଷୀ

   ଗ୍ରାସିଲା ଜନକ ଜେମା?

ସର୍ବ ସୂକ୍ଷ୍ମ କୀଟ ହୁଅ ହେ ପ୍ରକଟ

  ସର୍ବତ୍ର ରହିଛ ତୁମେ

କହିକି ପାରିବ ଜାନକୀ କେଣିକି

 ଚଳିଲା ଘନସ୍ତ ବନେ?

ଆହେ କାକ,ଶୁକ ବିହଙ୍ଗ ପତଙ୍ଗ

 ଶୁଣ ହେ ମୋର ମାଗୁଣି

ପତ୍ନୀର ବୀରହ ଅତ୍ୟନ୍ତ ଦୁଃସହ

 କ୍ଷଣେ ନପାରେ ତା' ଜିଣି।

ଲୋତକ ଝରାଇ କାନ୍ଦିଣ ଲୋଟଇ

  ଧାରା ପରେ,ମଥା ପିଟି

ସେ ବିଶ୍ବନିୟନ୍ତା ପତିର ବୀରହ

  ଦେଖି ବସୁଧା ପ୍ରକଟି।

ଆହେ ରଘୁନାଥ ତୁମେ ସର୍ବଜ୍ଞାତ

   ପଦ୍ମଲୋଚନୁ ଲୋତକ

ନବହୁ,ଏ ଲହୁ  ସମ ମୋର ପରେ

   ହେବି ମୁଁ ଯେ ଅଭିଶପ୍ତ।

ଆହେ ମହାବାହୁ ଧନ୍ୟ କଲ ମୋତେ

   ତୁମ ମଥା ମୋତେ ଛୁଇଁ

ଯା'ର ପଦସ୍ପର୍ଶ ପାଇଁକି ଜଗତ

  କାଳ କାଳ ଥାଏ ଚାହିଁ।

ମାନବୀୟ ଲୀଳା ପତ୍ନୀ ପ୍ରେମ କଥା

  ଯୁଗେ ଯୁଗେ ହେବ ଖ୍ୟାତ,

ଏକ ପତ୍ନୀ ବ୍ରତ ଶିଖିବ ଜଗତ

  ଧନ୍ୟ ଅଯୋଧ୍ୟାର ନାଥ।

ସୀତା ମୋ ଦୁହିତା ମୋ ଗର୍ଭ ସମ୍ଭୁତା

   ଜଗତ ହିତା ଅଟଇ

ନକର ବିଳାପ ହେ ଜଗତର ନାଥ

   ଲଙ୍କେଶ ଯାଇଛି ନେଇ।

ବସୁଧା ବାକ୍ୟକୁ କୌଶଲ୍ୟା ନନ୍ଦନ

   ଧୀରେ କରନ୍ତି ଶ୍ରବଣ,

ମାତା ମହିୟସୀ ଘେନ ମୋ ପ୍ରଣାମ

    ଭୂମିଷ୍ଠ କଲେ ଚୁମ୍ବନ।



Rate this content
Log in

Similar oriya poem from Romance