ସତେ କେମିତି ଅବନୀକାନ୍ତ
ସତେ କେମିତି ଅବନୀକାନ୍ତ
ସତେ କେମିତି?
ନଥିଲା ମୁହଁରେ ଲାଜ,
ହାଫ ପ୍ୟାଣ୍ଟକୁ ବନ୍ଧରେ ଥୋଇ,
ସାଇ ପିଲାମିଶି ଯାଉ ଗାଧୋଇ,
ପୋଖରୀ ଡିଆଁ
ବଡ଼ ପଥରରୁ ଭେଲଗାଣ୍ଡିଆ
କିଏ କେତେ ଦୂର ପାରୁଛି ଡେଇଁ
ସାନ ବଡ଼ କିଛି ବାରଣ ନାହିଁ,
ବାଲ୍ୟବେଳର ଏ ମଉଜ,
ସତେ କିମିତି
ମୁହଁରେ ନଥିଲା ଲାଜ।୧
ସତେ କେମିତି
ନଥିଲା ମନରେ ପାପ!
କଙ୍କି ଧରି ‘ଗଣ ବଳି’ ଦେଉଥିଲୁ
ଢୁରା ବେଙ୍ଗ ‘ଚମ’ ଢୋଲ ଗଢୁ ଥିଲୁ,
ଶୁଖିଲା ଗେଣ୍ଡାରେ ବୀଣାକାରିଆ,
ବାପାଙ୍କ ପୁରୁଣା ପ୍ୟାଣ୍ଟକୁ ପିନ୍ଧି
ଦଣ୍ଡ ନାଚେ ବନୁଥିଲୁ ହାଡ଼ିଆ,
ପଡ଼ିଶା ଝିଅ ସାଙ୍ଗରେ ବିଭା
ବାଲ୍ୟବିଭା ଖେଳ ଯୌତୁକ ଦେବା,
କାଠର ଗୁଟିଆ ଗାଡି ଯୌତୁକ
ବ୍ୟାଟେରୀ ମୁଣ୍ଡିରେ ମୁଦି ପିନ୍ଧାଇ
ସାଜୁ ଥିଲୁ ବର କନିଆଁ ରୂପ,
ସତେ କେମିତି
ମନରେ ନଥିଲା ପାପ।୨
ସତେ କେମିତି
କାଟିଲୁ ଦିନ,
ସକାଳ ପହରୁ ବାଉଁଶ ଟିପିରେ
ମୁଢି ବାଦାମ,
ଜଳଖିଆ ଶେଷ,ପଢ଼ାରେ ବସ,
ନଅ ନବାଜୁଣୁ ଡିଆଁଚିରା ମରା
ଅଣ୍ଟାରେ କରିଆ, ମୁଣ୍ଡେ ମାଲପା
ବନ୍ଧରେ ଗାଧୁଆ ଅଭୁଲା ଦିନ,
ସତେ କେମିତି
କାଟିଲୁ ଦିନ! ୩
ସତେ କେମିତି
ଦେହେ ନଥିଲା ଅଳସ,
ବେଳ ବୁଡ଼ ଖେଳ ଦଉଡି ଡିଆଁ,
ବହୁଚୋରି, ରେଶ,ଅନ୍ଧପୁଟୁଳି ଛୁଆଁ,
କବାଡି ସାଙ୍ଗରେ କିତ କିତ ଖେଳ
ପୁଅ ଝିଅ ସବୁ ଥିଲୁ ସମାନ,
ନଥିଲା ମନରେ ଭେଦ ବୟସ,
ସତେ କେମିତି
ଦେହେ ନଥିଲା ଅଳସ।୪
ସତେ କେମିତି
ପଶୁକୁ ନଥିଲା ଡର,
ବନ୍ୟଜଙ୍ଗଲରେ ବନ ଭୋଜି ସଙ୍ଗେ
କରୁ ଥିଲୁ କେତେ ପକ୍ଷୀ ଶିକାର,
ସନ୍ଧ୍ୟା ସମୟର ଶିଆଳି ଡାକ
ରାତି ଅଧିଆ ରେ ଡାକେ ଉଲ୍ଲୂକ,
ବାରିପଛ ପଟ ବରକୋଳି ଖାଇ
ନସର ପସର ଦୌଡେ ଭଲ୍ଲୁକ,
ସାପ ଓ କଣ୍ଟିଆ ଥିଲେ ସର୍ବତ୍ର,
ସତେ କେମିତି
ପଶୁ କୁ ନଥିଲା ଡର।୫
ସତେ କେମିତି
ନଥିଲା ଦେହରେ ରୋଗ,
ନାନା ଜାତି ଶାଗ , ବାଡ଼ି ପରିବା
ନଈ ମାଛ ଆଉ ପଖାଳ କଂସା,
ସରୁ ପିଆଜକୁ ଫୁଲ ବାଡ଼ି ଚୁରା
ରେନ୍ଥାତରକାରୀ ବାଇଗଣ ପୋଡା
ଆମ୍ବୁଲ ଠାକରା ବଡ଼ ସରାଗ,
ସତେ କେମିତି
ଏସବୁ ଖାଇ
ନଥିଲା ଦେହରେ ରୋଗ।୬
ସତେ କେମିତି
ଦାଣ୍ଡେ ହେଉ ଦଣ୍ଡବତ,
ବାବାଜୀ, ବୈଷ୍ଣବ ଦାଣ୍ଡରେ ଗଲେ
ଗୁରୁଜୀ,ସାଇ ବୁଲି ଆସିଲେ,
ବ୍ରାହ୍ମଣ କି ଗାଁ ପଧାନ ଯଦି
ଭାଗବତ ଟୁଙ୍ଗି କେବେ ଆସନ୍ତି,
ମୁଣ୍ଡିଆ ମାରିବା ହୁଏ ତୁରିତ,
ସତେ କେମିତି!
ଲଜ୍ୟା ଛାଡି ସବୁ
ଦାଣ୍ଡେ ହେଉ ଦଣ୍ଡବତ।୭
ସତେ କେମିତି!
ଏସବୁ ଦିଶେନା କିଛି,
ଗାଁ ଟା ଆମର ସହର ହୋଇଲା
ଦାଣ୍ଡ ଖେଳ ସବୁ ମୋବାଇଲ ନେଲା
ନାହିଁ ସେ ପୋଖରୀନାହିଁ ସେଇ ବଣ
ନାହିଁ ପଶୁ ପକ୍ଷୀ ନାହିଁ ସନମାନ,
ଖାଲି ମନରେ ରହିଛି ସ୍ମୃତି,
ସତେ କେମିତି!
ଏସବୁ ଦିଶେନା କିଛି।୮
