STORYMIRROR

Abanikanta Sahu

Abstract Classics Children

4  

Abanikanta Sahu

Abstract Classics Children

କୃଷକ କ୍ଷେତ ଗମନ

କୃଷକ କ୍ଷେତ ଗମନ

1 min
422

     


ପଲ୍ଲୀ ପୁରେ ତା'ର ଚଷା ଜନମ

କୁଳ ବେଉସା ତା' କର୍ଷଣ କର୍ମ

ତା'ର କର୍ମଫଳେ କୁଟୁମ୍ବ ଚଳେ

ମୁଣ୍ଡଝାଳ ତୁଣ୍ଡେ  ନିଇତି ମାରେ ଯେ

ଚାଷ କର୍ମେ ତା'ର ପ୍ରୀତି ଯେ

ନାହିଁ ଆନ ଗତି ସୀମିତ ସମ୍ପତି

ଦରିଦ୍ରତା ତା'ର ସାଥୀ ଯେ।


ନିଶା ଅନ୍ତେ ଉଷା ହେଲେ ପ୍ରବେଶ

ଛାଡି ଖଟ ଶେଯ ରାତ୍ର ଆଳସ୍ୟ

ନିତ୍ୟ କର୍ମ ତା' କରେ ସମାପନ

ସୁମନ ମାନେନି ଏ ପ୍ରଭୁ ନାମ ଯେ

ମୁନ୍ଦେ ପିଇ ବାସି ପେଜ ଯେ

ଡାକିଣ ଭାର୍ଯ୍ୟାକୁ ବଳଦ ଦୁଇକୁ

ଖୁଆଇ କରେ ସେ ସଜ ଯେ।


ତା'ର କର୍ମସାଥୀ ଭାର୍ଯ୍ୟା,ବଳଦ

ଗୁହାଳ ବୈକୁଣ୍ଠ  କ୍ଷେତ ସରଗ

ଲଙ୍ଗଳ,ଜୁଆଳି,ପାଞ୍ଚଣ,ବାହାଙ୍ଗି

ବୋଝ,ଧାନଡୋଲି କୁଲା ଓ ଝାମ୍ପି ଯେ

ମଇ,ଦଉଡି କୁରାଢ଼ି ଯେ

ଦାଆ ଓ ଗଉଣି ଫାଉଡା ଓ କୋଡ଼ି

ଗାଣ୍ଡୁଆ, ଶଗଡ଼,କାତି ଯେ।


ବସୁଧା ମାତାକୁ ମାରି ମୁଣ୍ଡିଆ

ଡାକେ ଗ୍ରାମେଶ୍ୱରୀ ହୋଇବୁ ସାହା           

ଇନ୍ଦ୍ରରାଜ ଦେବ ନା ବଇରି ହେବ

କର ଯୋଡି କହେ ଜଳବର୍ଷିବ ଯେ

ଫଳାଇବ କ୍ଷେତେ ସୁନା ଯେ

ନିରୀହ ମୁଁ ଦୀନ ସ୍ୱଳ୍ପ ମୋ ବିହନ

ସର୍ବେ ଶୁଣ ମୋ ପ୍ରାର୍ଥନା ଯେ।


କାଳିଆ କସରା  ତା' ପ୍ରାଣସଖା

ପିତାତୁଲ୍ୟ କରେ ସେ ଦେଖାରଖା

ରାମ ଲକ୍ଷ୍ମଣ ଗୁଣ ଗାୟନ

ସୁମଧୁର ସ୍ୱରେ କମ୍ପେ ଗଗନ ଯେ

ହଳ ଚଳାଏ ଚତୁରେ ଯେ,

ତପନେ ତପ୍ତ ସ୍ବେଦରେ ସିଶିକ୍ତ

ଶ୍ରମେ ନ କୁଣ୍ଠିତ କରେ ଯେ।


ଚାଷୀ ବୁଝିଥାଏ ପେଟର ଭୋକ

ଘାସ, ଛଣବିଡା ଗୋରୁର ଭକ୍ଷ

ସ୍ନେହରେ ସୁଆଁଳି ବଳଦ ଦେହ

ଲଙ୍ଗଳ ଫିଟାଇ  ଯୋଗାଡ଼େ ପେୟ ଯେ

ତୁଟାଏ ତାଙ୍କର କ୍ଷୁଧା ଯେ,

ସର୍ବ ଜୀବ ଭୋକ ମେଣ୍ଟାଏ କୃଷକ      

ତା' ପାଇଁ ଧନ୍ୟ ବସୁଧା ଯେ।


ଚାଷୀର ଘରଣୀ ହିଡ଼ ଉପରେ

ପଖାଳ କଂସାକୁ  ସଜଡ଼ା କରେ

ଆମ୍ବୁଲ, ପିଆଜ ଶାଗଖରଡ଼ା

ଲୁଣ,ଲେମ୍ବୁ ମିଶା ଲଙ୍କା ରଗଡ଼ା ଯେ

ଶାଳ ଚଉପତି ମଧ୍ୟେ ଯେ

ନଈ ଥଣ୍ଡାପାଣି ପଖାଳ ତୋରାଣି

କଂସାକ ପିଏ ନିଃଶ୍ୱାସେ ଯେ।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract