ଯମୁନା
ଯମୁନା
ଯମନା ନଦୀର ଜନ୍ମର ବୃତ୍ତାନ୍ତ
ସୂର୍ଯ୍ୟ ପୁରାଣରେ ଅଛି
କେମିତି କାହିଁକି ଏ ଯମୁନା ନଦୀ
ଧରାରେ ସୃଷ୍ଟି ହୋଇଛି ।
ବିଶ୍ବକର୍ମା କନ୍ୟା ପରମାସୁନ୍ଦରୀ
ସୂର୍ଯ୍ୟଙ୍କୁ ବିବାହ କଲେ
ସୂର୍ଯ୍ୟଙ୍କର ତେଜ ସହି ନ ପାରିଣ
ଅଶ୍ରୁ ବର୍ଷଣ କରିଲେ ।
ସଂଜ୍ଞାଙ୍କ ଗର୍ଭରୁ କନ୍ୟା ଜନ୍ମ ହେଲା
ସୂର୍ଯ୍ୟ ଦେବ ଖୁସି ହେଲେ
ସୂର୍ଯ୍ୟଙ୍କର ଜ୍ବାଳା ସହି ନ ପାରିଣ
ଆଖି ଲୁହ ଝରାଇଲେ ।
କ୍ରୋଧିତ ହୋଇଣ ଜ୍ୟୋତି ପ୍ରଭାକର
ଅଭିଶାପ ଥିଲେ ଦେଇ
ତୁମ ଲୁହ ପାଇଁ ଏଇ କନ୍ୟା ତୁମ
ବହି ଯାଉ ହେଇ ନଈ ।
ଯମୁନା ୟା ନାମ ରହୁ ଜଗତରେ
ନଈ ହେଇ ଯାଉ ବହି
ମୋର ବାକ୍ୟ କେବେ ଅନ୍ୟଥା ନ ହେଉ
ରହି ଥାଉ ଇଏ ମହୀ ।
ହାତ ଯୋଡି ସଂଜ୍ଞା କ୍ଷମାକୁ ମାଗିଲେ
ଯମୁନା ଯୋଡିଲେ କର
ଅଭିଶାପ ପିତା କାହିଁକି ହେ ଦେଲ
କି ଦୋଷ ଥିଲା ଯେ ମୋର ।
କି ବୋଲି ବୋଲିବ ଏଇତ ଜଗତ
ଟିକିଏ ଚିନ୍ତା ନ କଲ
ବିନା ଅପରାଧେ ଅଭିଶାପ ଦେଇ
କନ୍ୟାକୁ ନିନ୍ଦିତ କଲ ।
ଏହା ଶୁଣି ସୂର୍ଯ୍ୟ ଦେବ ଶାନ୍ତ ହେଲେ
କହିଲେ ଯମୁନା ଶୁଣ
ତୁମେ ତ ହୋଇବ ଏଇ ମର୍ତ୍ତ୍ୟ ଧାମେ
ମୁକତି ପଥ କାରଣ ।
ଗୋପ ବୃନ୍ଦାବନେ ବହି ଯିବ ତୁମେ
ରହିବ ମଥୁରା ପୁର
ତୁମରି କୂଳରେ ଲୀଳା ଯେ କରିବେ
ସ୍ବୟଂ ପ୍ରଭୁ ଚକ୍ରଧର ।
ଦେବକୀ ଗର୍ଭରୁ ଜନମ ହୋଇଣ
ଯଶୋଦା କୋଳେ ବଢିବେ
ରାଧା ସହିତରେ ଗୋପୀଙ୍କ ସଙ୍ଗରେ
ତୋ ଜଳେ ସିଏ ଖେଳିବ ।
ପ୍ରଭୁଙ୍କ ଚରଣ ନିତି ତୁ ପାଇବୁ
ଏଇ ଆଶୀର୍ବାଦ ମୋର
ଦେବ ମହାଦେବ ପିତାମହ ବ୍ରହ୍ମା
ପାଇ
ଲେନି ଯା' ପୟର ।
ସେଇ ପ୍ରଭୁଙ୍କର ଦୁଇ ଚରଣକୁ
ନିତି ତୁ ପାରିବୁ ଛୁଇଁ
ସ୍ବଚକ୍ଷୁରେ ତୋର ଦେଖିବୁ ସେ ରୂପ
ୟାଠୁ ବଳି ଭାଗ୍ୟ କାଇଁ ।
ଗୋପ ବାଳକଙ୍କୁ ସଙ୍ଗରେ ଧରିଣ
ତୋ ତଟେ କରିବେ ଖେଳା
ବଇଁଶୀ ସୁରରେ ହୋଇବୁ ଅଧିର
ଦେଖିବୁ ମାନବ ଲୀଳା ।
ଗଙ୍ଗା ସରସ୍ବତୀ ସହିତ ମିଶିଣ
ତ୍ରିବେଣୀ ସଙ୍ଗମ ହେବୁ
ଜଗତ କଲ୍ୟାଣ ହୋଇବ ଅନେକ
ପାପୀଙ୍କୁ ମୁକତି ଦେବୁ ।
ସୌନ୍ଦର୍ଯ୍ଯ ଦିଶିବ ଏଇତ ପୃଥିବୀ
ପାଇ ତୋର ଜଳଧାରା
ଜୀବଜନ୍ତୁ ସବୁ ବଞ୍ଚିବେ ତୋ ଜଳେ
ହସି ଉଠିବ ଏ ଧରା ।
ବହି ଯାଇ ଅଛି ଏ ଯମୁନା ନଈ
ହେଇ ଅଙ୍କା ବଙ୍କା କେତେ
ବଳଦେବଙ୍କର ଲଙ୍ଗଳ ମୂନରେ
ବହେ ତିନି ଧାର ସ୍ରୋତେ ।
ନିଜ ବଂଶ ଶେଷ ଶୁଣିଣ ବଶିଷ୍ଠ
ଦୁଃଖିତ ହୋଇଲେ ଅତି
ଦୁଇ ହାତ ବାନ୍ଧି ଯମୁନା ଗର୍ଭକୁ
ଡେଇଁ ପଡିଲେ ସେ ଯତି ।
ଜୀବନକୁ ଇତି କରିବାର ପାଇଁ
ପ୍ରୟାସ ବହୁତ କଲେ
ପାଶ ମୁକ୍ତ ହସ୍ତ ଯମୁନା କରିଲେ
ବଶିଷ୍ଠ ଆଶ୍ଚର୍ଯ୍ୟ ହେଲେ ।
କରକୁ ଯୋଡିଣ ଯମୁନା ହସିଲେ
ହାତ ଠାରି ଦେଖାଇଲେ
ପୁତ୍ର ବଧୂ କୂଳେ ଛିଡା ହେବା ଦେଖି
ମୁନି ହରଷ ହୋଇଲେ ।
ଖୁସି ହୋଇ ମୁନି ଦେଲେ ଆଶୀର୍ବାଦ
ପାଶ ମୁକ୍ତ କଲ ମୋତେ
ଜୀବ ଦାନ ଦେଇ ମୋ ବଂଶ ରଖିଲ
ଯଶ ରହୁ ଏ ଜଗତେ ।
ବିପାଶା ନାମଟି ହେଉ ଯେ ତୁମର
ଆଶୀର୍ବାଦ ଦେଲେ ମୁନି
ଜଗତ କଲ୍ୟାଣ ହେଉ ତୋ ନୀରରେ
ହୁଅ ଚିର ସ୍ରୋତସ୍ବନୀ ।
ଚିରସ୍ରୋତା ହୋଇ ବହି ଚାଲୁ ଥାଅ
ରହୁ ତୁମ ଯଶ ଖ୍ୟାତି
ଯୁଗ ଯୁଗ ପାଇଁ ଉଡୁ ତୁମ ଧ୍ବଜା
ତୁମଙ୍କୁ କୋଟି ପ୍ରଣତୀ ।