ପୁତ୍ରର ବିଳାପ
ପୁତ୍ରର ବିଳାପ
ମା ମା ବୋଲି ଡାକିଲି ମୁହିଁ ଦଉଡ଼ି ଆସିଲୁ
ତୁହି ସହଳ ଧରି ଖଣ୍ଡେ ହାତେ ବାଉଁଶ ବାଡ଼ି,
ଘଉଡ଼େଇ ଦେଲୁ ମାରଣା ଷଣ୍ଢକୁ ପିଟି ପାଟି
ନହେଲେ ଦେଇଥାନ୍ତା ମୋ ଗୋଡ଼ ଉଖାଡ଼ି |
ସାତ ବରଷର ଥିଲି ମୁଁ ତ ଆଜ୍ଞାନ ବାଳୁତ
ଜାଣିନଥିଲି ମୁଁ ସେବେ କାଇଦା କଟକଣା,
ଗୁରୁମା ଭାବେ ମୋତେ ତୁ ଶିଖେଇଲୁ ସବୁ
ବାପାଙ୍କ ଅଭାବ କଲୁ ଦୂର ମା ମୋ ଦୟଣା |
ନା ମୋ ଲେଖାଇ ଥିଲୁ ଦିନେ ଗାଁ ବିଦ୍ୟାଳୟେ
ସାଜି ନିଜେ ପୂର୍ଣ୍ଣ ଆଦର୍ଶବତୀ ମୁରବୀ ମୋର,
ଗୁରୁ ଗୁରୁମାଙ୍କ ହୋଇଥିଲି ଦିନେ ମୁଁ ତେଣୁ
ସରଗ ତରା, ଭଲ ପିଲା ଓ ଆଦର୍ଶ ସୁଛାତର l
ବାପା କାହାନ୍ତି ବୋଲି ପଚାରିଲେ କହୁ ତୁ
ମୋତେ ସରଗରେ ଅଛନ୍ତି ତୋ ପୂଜ୍ୟ ବାପା
ଅବିକା ମୁଁହିଁ ତୋ ବାପାମା ଜାଣିଥା ତୁ ପୁଅ
ସଦା ତୋ ମନକୁ କେବେ ବି ନକରି ଖପା l
ମାବାପାଙ୍କ ସ୍ନେହ ଦେଇ ମୋତେ ଅତି
ସରାଗେ ପାଲିଛୁ ଯତନେ ମାଆ,
ସଂସାର ଦଡ଼ି ବଡ଼ି ସହି ସବୁ ମାରି ମୁଣ୍ଡ
ଝାଳ ତୁଣ୍ଡେ ଦେଖାଇଛୁ ତୁ ମୁରବୀ ପଣିଆ l
ନିଷ୍ଠାପର ଭାବେ ସମ୍ଭାଳିଛୁ ସବୁ ଚାକିରୀ
ଆଉ ଘରକାମ ବାପା ଗଲା ପରେ ଛାଡ଼ି,
ଚରିତ୍ର ନିଜର କେବେବି ବିକିନୁ ଆଜିର
ଜଗତେ ଉପୁରି ଆୟକୁ କରି ତୁ ଖାତିର l
ହେଇଥିଲୁ ଦିନେ ଗାଁ ସରପଞ୍ଚ ଏକ ଆଦର୍ଶ
ନିରୀହ ଗାଁବାଲାଙ୍କ ଥଇଥାନ କରି ଉତ୍କର୍ଷ,
ଦିନେ ହେଲେ ତୁ ତ ଖାଇନୁ ଲାଞ୍ଚ ସାଜିବାକୁ
ନାରୀ ଅମୀର ମାରି ଠୋକର କଳା ବଜାରକୁ l
ମନେ ଅଛି ଦିନେ ଆସିଥିଲେ ବୁଲି ମୁଖ୍ୟମନ୍ତ୍ରୀ
ଗାଁକୁ ଆମର, କରିଥିଲୁ ଫରିଆଦ ସାଜି ନେତ୍ରୀ
ଟ୍ରାକ୍ଟର ଯୋଗାଇ ପୂରଣ କରିବାକୁ ଗାଁ ଚାଷୀଙ୍କ
ଅଭାବ ଅନାଟନ ହୋଇଥିଲୁ ପ୍ରେମାସ୍ପଦ ତାଙ୍କ l
ଅବସର ପରେ କେତେ ତୁ କରିଛୁ ଜନହିତକର
କରମ ଉଜ୍ବଳ କରିଛୁ ନାମ ସଦା ଈଶ୍ୱରଙ୍କର,
ହୃଦୟ ତୋର ଅତୀବ ବିଶାଳ ହିମାଳୟ ପରି
ମଧୁର ବଚନେ ନେଇଥିଲୁ ତୁ ସର୍ବ ଜନମନ ହରି l
ତୁ ତ ଅଟୁ ମା ସରଗ ପରି ମୋ ପାଇଁ ମୁଁ ତୋର
ପୁତ୍ର ଅଧମ, ତୋ ନୀତିଶିକ୍ଷାକୁ ମାନିଛି ତ ମାତର,
ନଲଗାଇ କାମେ ସମ୍ପୂର୍ଣ୍ଣ ଯାଇଛି ମୁଁ ଭାସି ଆଜି
ନୂଆ ଦୁନିଆଁର ସ୍ରୋତରେ ସ୍ୱାର୍ଥକୁ ଦେଇ ନଜର l
ଆଜି ତୋର ଅନ୍ତିମ ଦିନରେ ସୁଯୋଗ ଲଭିଛି
କେବଳ କରିବାକୁ ସେବା ତୋର ବିହି ଲେଖିଛି,
କେବେବି ସ୍ୱଚ୍ଛ ମନ ପ୍ରାଣେ ଆସିନି ବିଦେଶୁ
ଲଭିବାକୁ ତୋର ମାତୃ ସେନେହ ଦୈବୀ ଅଂଶୁ l
ତୋର ଆଶୀଷେ ହୋଇଛି ଆଜି ମୁଁ ବଡ଼ ଅଫିସର
ଉଣା ହୋଇଗଲା ମୋ ସବୁ ମାତୃ ଭକତି ମାତର,
ଭାବି ଦେଲେ ମନଟା ହୁଏ ମୋ ଅତି ବିକଳ ଆଜି
ଧିକ ମୋ ଜୀବନ ଧନ ଲୋଭ ମତେ କଲା ପାଜି l
ଅନ୍ତିମ ଶଯ୍ୟାରେ ବସିଛି ତୋ ପାଖେ ତୋ ପବିତ୍ର
ମୁହଁକୁ ଚାହିଁ ଅନୁତାପେ ଶୁଦ୍ଧ କରିବାକୁ ମୋ ଗାତ୍ର,
କ୍ଷମା କରିଦେ ମା ମତେ ତୁ ତ ନିଜେ ମୋ ବାପାମା
ଆସନ୍ତା ଜନମେ ତୋ ସୁପୁତ୍ର ହେବାକୁ ଆଶମୋ ମା l
ଆଁ କରିଦେ ମାଆ ଲୋ ଟିକେ ନିର୍ମାଲ୍ୟ ପାଣି ନେ
ପାଇଦେ ଢୋକେ ସୁମରି ଦାରୁବ୍ରହ୍ମଙ୍କୁ ମନେ ମନେ
ନିଶ୍ଚୟ ନେଇଯିବେ ତୋ ଶୁଦ୍ଧ ଆତ୍ମା ବୈକୁଣ୍ଠକୁ
ନକରି ତିଳେ ଦ୍ଵିଧା ପୂର୍ଣ୍ଣ କରି ତୋର ମନୋବାଞ୍ଛାକୁ l