STORYMIRROR

ABADHOOT PANDA

Others

4  

ABADHOOT PANDA

Others

ନୀଳ କନ୍ଦରର ପ୍ରଭୁ

ନୀଳ କନ୍ଦରର ପ୍ରଭୁ

1 min
13

~ ନୀଳ-କନ୍ଦରର ପ୍ରଭୁ  ! ~

~~~~~~~~~~~~~~~~~

ନୀଳ-କନ୍ଦରର ପ୍ରଭୁ  !

ଶ୍ରୀପଦରେ କୋଟିଏ ପ୍ରଣାମ,

କୃପାସାଗର ଗୋସାଇଁ !

ଅନ୍ତର୍ଯ୍ୟାମୀ ପ୍ରଭୁ ପୂର୍ଣ୍ଣକାମ ।୧)

ଏଡ଼ିକି ବିଶାଳ ତୁମେ 

ସ୍ଵୟଂ ବ୍ରହ୍ମ ! କଇବଲ୍ୟ ଦାତା,

କଳ୍ପନାତୀତ ହେ ପ୍ରଭୁ !

ସବୁଠି ହିଁ ତୁମ ମହାନତା ।୨)

ଅଳପ ବୁଦ୍ଧିରେ ମୁଁ ଯେ 

ମାପିବସେ ତୁମରି ମହିମା,

ନୀଳ-କନ୍ଦରର ପ୍ରଭୁ !

କରିଥାଅ ସବୁ ଦୋଷ କ୍ଷମା ।୩)

ହୃଦୟ ସଂକୀର୍ଣ୍ଣ ମୋର 

ମୁଁ ତୁମକୁ ଧରି ପାରେ ନାହିଁ,

ଗାଏ ନାହିଁ ତୁମ ନାମ

ସଂସାରର ଜଞ୍ଜାଳରେ ରହି ।୪)

ତଥାପି ନିର୍ଲିପ୍ତ ତୁମେ 

ଚୁପି ଚୁପି ହସୁଥାଅ ବସି,

ଊଣା ହୁଏନି କରୁଣା 

ହେ ଦୟାଳୁ ନୀଳଗିରି ବାସୀ !୫)

ନିଜ ଭାବନାରେ ଥାଏ 

ଅହଂ ଭାବ ଛାଡେ ନାହିଁ ମୋର,

ନୀଳ-କନ୍ଦରର ପ୍ରଭୁ !

ପାଶେ ମୋର ଥାଅ ନିରନ୍ତର ।୬)

ଏତିକି କରୁଣା ହେଉ

ହେବି ତୁମ ଦାସଙ୍କର ଦାସ,

ସେପାଇଁ  ଯୋଗ୍ୟତା ଦିଅ 

ପ୍ରଭୁ ମୋର ଆହେ ପୀତବାସ !୭)

ମନ ଭଜୁ ତୁମ ନାମ 

ପ୍ରାଣ ଗାଉ ତୁମରି ମହିମା,

ତୁମରି ଦିବ୍ୟ ଆଲୋକ 

ନାଶକରୁ ସକଳ କାଳିମା ।୮)

ତୁମ କରୁଣାର ଧାରା 

ପୂର୍ଣ୍ଣ କରୁ ମୋ ଚିନ୍ତା, ଚେତନା,

ତୁଟି ଯାଉ ଭବ ଭୟ

ପ୍ରାଣେ ଜାଗୁ ତୁମରି ଭାବନା ।୯)

ନୀଳ-କନ୍ଦରର ପ୍ରଭୁ  !

ଆସ ଥରେ ହୃଦ-କନ୍ଦରରେ,

ମୋ ଗୁହାରି ଘେନାହେଉ 

ଭିଜାଅ ହେ ତୁମରି ପ୍ରେମରେ ।୧୦)

~~~~~~~~~~~~~~~~~~~~~~

ଶ୍ରୀ ବିଚିତ୍ରାନନ୍ଦ ତ୍ରିପାଠୀ, ସିଡିଏ, କଟକ,।

~~~~~~~~~~~~~~~~~~~~~~


Rate this content
Log in