STORYMIRROR

Abanikanta Sahu

Abstract Classics Inspirational

3  

Abanikanta Sahu

Abstract Classics Inspirational

*ମନକଥା* ଅବନୀକାନ୍ତ

*ମନକଥା* ଅବନୀକାନ୍ତ

1 min
182


ପଖାଳ ଖିଆ ଓଡ଼ିଆ ଆଜି

ପିଜା, ବରଗର ଖାଇ ଶୋଇଛି,

ସକାଳ ସୁରୁଜ ଦେଖୁନି ଆଉ

ନାଇଟି କଲବେ ନାଚ କରୁଛି।

ଭୁଲିଗଲା ରାମ, ଲଇକ୍ଷଣ ଗୀତ

ଶ୍ରୀବଲ୍ଲୀ ,ସାମୀ ଗାଉଛି

ଭୁଲି ଗଲା ରଜ ,ଗାଁ ପରବକୁ

ନିଉ ଇୟର ପର୍ବ ପାଳୁଛି।

ପାଇକ ଆଖଡା, ଗଉଡ଼ ବାଡିକୁ

ଓଲଡ଼ ଜମାନା ଖେଳ କହୁଛି,

ବାଦିପାଲା,ଦାସକାଠିଆ ଗୀତକୁ

ବାଜେ ଓ ନିରସ ,କିଏ ଦେଖୁଛି?

ସାଙ୍ଗସାଥି ମେଳେଓଡ଼ିଆ ନକହି

ଖଣ୍ଡିଆ ଅଂଗ୍ରେଜ଼ି ବକୁଛି,

କହୁଛି ଓଡ଼ିଆ ପାଟିରେ ପଶୁନି

ହିନ୍ଦୀ ରେ ବଡିମା ଗାଉଛି।

ନିଜପୁଅଝିଅ ବାପା ଡାକିଦେଲେ

ଡାଡି, ପାପା ଡାକ କହୁଛି।

ସହର ରେ ରହି ମଡର୍ଣ୍ଣ ଭଙ୍ଗିମା

ସ୍ମାର୍ଟ ପୋଜ ଦଉଛି।

ନିଜ ବାପା,ମାଆ ଆପଣାରନାହିଁ

ପଡୋଶୀଙ୍କ ବାପା ପାଦ ଛୁଉଁଛି,

ବାପାମାଆ ଯଦି ଆସିବେ କହନ୍ତି

ଏଠିକା ମାହଲ ଭଲନା, କହୁଛି।

ବାପାଠାରୁ ଭଲ ମଉସା ହେଲେଣି

ନିଜଗାଁ ଗାଉଁଲୀ ଲାଗୁଛି,

ମେଟ୍ରୋସହର ଭେଳିକି ଢାଞ୍ଚାରେ

ଢାଳି ହେଇଯାଇ ରହିଛି।

ସ୍ବଦେଶୀ ଛାଡିକି ବେଦେଶୀ ପସନ୍ଦ

ନିଶାରେ ବାଉଳା ହଉଛି

ନିଜ ଅଞ୍ଚଳରେ ବ୍ୟକ୍ତି ନାପସନ୍ଦ

ବିଦେଶୀ ନେତାକୁ ବାଛୁଛି।

ମାଗଣା ତା ଜନ୍ମସିଦ୍ଧ ଅଧିକାର

ରାଜଦରବାରେ କହୁଛି,

ଓଡ଼ିଆ ଭାଇଟା ସିଙ୍ଗାଣି ନାକିଆ

ଆନ୍ଧ୍ର,ବଙ୍ଗ ଉପଦେଷ୍ଟା ହୋଇଛି।

ଓଡ଼ିଆ ପୁଅର ଓଡିଶା ପ୍ରୀତିଟା

ଜଳ ଜଳ ଦେଖା ଯାଉଛି,

ମଉସାକୁ ବାପାଡାକିବା ବେଳଟା

ପାଖେଇଲା ବୋଧେ ଲାଗୁଛି।

ଭୁଲି ଗଲା ସବୁ ଗୌରବର ଗାଥା

ସ୍ୱାଭିମାନ ଓଡ଼ିଆ ଙ୍କ କାହାଣୀ,

ଆପେ ବଞ୍ଚି ଗଲେ ବାପର ନାଁ ତ

ଆଉସବୁ ବେକାର, ମାର ଗୋଲି।

ବାପରେ!ଏଣ୍ଡୁଅ ,ସ୍ୱର୍ଗ ସିଝୁମୁଳ

ବିଦେଶୀ ରଙ୍ଗଟା ଫିକା,

ନିଜଜାତି, ନିଜ ଭାଈ କମ୍ ନୁହଁ

ବିଦେଶେ ପଡୁଛି ଡକା।

ସ୍ଵଜାତି, ସ୍ୱଭଷା ମହା,ମହିୟଶୀ

ମନେ ନରଖିବୁ ଶଙ୍କା।

ବିଦେଶୀ କୁ ଭଲ ପାଇ ନବୁଝିଲୁ

ପରାଧୀନ, ଦିନେ ଗୋଲାମ ଥିଲୁ

ନିଜ ସଂସ୍କୃତି ଦିନେ ଭୁଲିଯିବୁ 

ଜଗନ୍ନାଥ ସଂସ୍କୃତି କୁ ଖୋଜିବୁ।

ଆପଣାର ହାତ ଜଗନ୍ନାଥ ବୋଲି

ଭୁଲିକି ଗଲୁଣି ବେଳେ?

ବିଦେଶୀ ପ୍ରୀତିକୁ ସଅଳ ତ୍ୟାଗ ତୁ

ଅନ୍ୟଥା ହଜିବୁ କରାଳ ବଳେ।

ଉଠ ଉଠ ମୋର ଓଡ଼ିଆ ଆତ୍ମା

ପର ପ୍ରୀତି ,ପ୍ରେମ ବନ୍ଧନ ଛାଡ଼

ସରଳ ଜୀବନ ଉଚ୍ଚ ବିଚାରକୁ

ଦୈନ ଜିବନୀରେ ଟିକିଏ ଯୋଡ।

ମୋ ଓଡିଶା ମାଟି, ଓଡ଼ିଆ ସଂସ୍କୃତି

ଧରାତଳେ ନାହିଁ ତା ପଟାନ୍ତର,

ଅଣୁରୁ ଅଣିମା ଏ ମାଟି ଦେଇଛି

ଜଗନ୍ନାଥ ,ନାଥ ଯେଉଁ ସ୍ଥାନର।

ତୋହାତ,କଲମ,ନିହଣ, କୃପାଣ

କାଳଜୟୀ,କଥା,କାରୁ କାର୍ଯ୍ୟରେ,

ବାହାରେ ଖୋଜୁଛୁ, ନିଜପାଖେ ଥାଇ

ଧାଇଁ ଧାଇଁ ବୁଲୁ ସାରା ବିଶ୍ୱରେ।

ତୋର ଭାଷା ଗ୍ରନ୍ଥ, ଓଡ଼ିଆ ସଂସ୍କୃତି

ଜ୍ଞାନ ପାରବାର ସମ

ଦିନେ ଏ ଦୁନିଆଁ ନିଶ୍ଚୟେ ଜାଣିବ

ଓଡ଼ିଆ ସଂସ୍କୃତି ମର୍ମ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract