STORYMIRROR

Geetanjali Prusty

Abstract

3  

Geetanjali Prusty

Abstract

ପୁଣ୍ୟ କଳ୍ପବଟ

ପୁଣ୍ୟ କଳ୍ପବଟ

1 min
176


ଚାରି ଧାମ ମଧ୍ୟେ ଜଗନ୍ନାଥ ଧାମ

ଶ୍ରେଷ୍ଠ ମୋ ଶ୍ରୀକ୍ଷେତ୍ର ଧାମ

ଯେଉଁଠାରେ ବିଜେ ରତ୍ନ ସିଂହାସନେ

ଚତୁର୍ଦ୍ଧା ମୂରତି ଶ୍ୟାମ।


ସେ ଧାମେ ଚର୍ଚ୍ଚିତ ସମସ୍ତ ସ୍ଥାବର

ନିଜ ଗୁଣେ ମହୀୟାନ 

ସେ ମଧ୍ୟେ ଅଛନ୍ତି କଳ୍ପବଟ ନାମେ

ବଟ ବୃକ୍ଷ ଅନୁପମ।


ମହିମା ଯାହାର ପୁରାଣ ବର୍ଣ୍ଣିତ

ବହୁବିଧ ତଥ୍ୟ ଘେନି

ସ୍କନ୍ଦ ପୁରାଣ ବା ବ୍ରହ୍ମ ପୁରାଣରେ

ଅବା ତୀର୍ଥ ଚିନ୍ତାମଣି।


ହରିବଂଶ ସାଥେ ସାର ଗୁପ୍ତ ଗୀତା

ଯେ ତଥ୍ୟ ବଖାଣେ ଭବେ

ସେହି କଳ୍ପବଟ ପୁଣ୍ୟ ନୀଳାଚଳେ

ବିସ୍ତାରିଛି କାୟା ଗର୍ବେ।


ବର୍ଷା ବିଭୀଷିକା ପ୍ରଳୟ ଜଳରେ

ମହାଲକ୍ଷ୍ମୀ ବିଷ୍ଣୁଦେବ

ଭାସୁଥିଲେ ସ୍ରୋତେ ଆଶ୍ରୟ ପାଇଁକି

ମାୟାଧର ମହଭବ ।


ପୁରାଣ ବର୍ଣ୍ଣିତ ମାର୍କଣ୍ଡେୟ ମୁନି

ବଞ୍ଚି ଥିଲେ ସପ୍ତ କଳ୍ପ

ସେ ବି ଭାସୁ ଥିଲେ ଜୀବନ ସଂଗ୍ରାମେ

ଖୋଜି କିଛି ବିକଳପ।


ଦୃଷ୍ଟିରେ ପଡ଼ିଲା ବଟ ବୃକ୍ଷ ଏକ

ଶୁଭିଲା ଶିଶୁର ସ୍ୱର

ଶବ୍ଦ ଅନ୍ଵେଷଣେ ପହଞ୍ଚିଲେ ଯାଇ

ତ୍ୱରିତରେ ଅଗ୍ରସର।


ଦେଖିଲେ ସମ୍ମୁଖେ ବିଷ୍ଣୁ ମହାଲକ୍ଷ୍ମୀ

ମହାପ୍ରଭୁ ବଂଶୀଧର

ପାଖରେ ଶିଶୁର ପାଟିରେ ଦେଖିଲେ

ସାରା ସୃଷ୍ଟି ସମାହାର।


ଆଶ୍ରୟ ଘେନିଲେ ବଟ ବୃକ୍ଷ ଠାରେ

ଶ୍ରୀୁପୁରୁଷୋତ୍ତମ କ୍ଷେତ୍ରେ

ତାଙ୍କରି ଆଶିଷ ଅନନ୍ତ ମହିମା

ଦେଖୁଛନ୍ତି ଯାହା ନେତ୍ରେ।


ଭକ୍ତ ବିଶ୍ଵାବସୁ ଶବର ପୂଜିଲେ

ଯହିଁ ନୀଳ ମାଧବ ଙ୍କୁ

ସେହି ବଟ ବୃକ୍ଷ ଆଜି କଳ୍ପ ବଟ

ଜନ ମନ ଜିଣିବାକୁ।


ଭକ୍ତି ଅର୍ଘ୍ୟ ବାଢ଼ି ପ୍ରଦକ୍ଷୀଣ କଲେ

ମନ ବାଞ୍ଛା ପୂରି ଥାଏ

ଲୋକ କଥା ଶ୍ରୁତି ରହିଛି ରହିବ

ବିଶ୍ଵାସର ନଦୀ ତୀରେ।


ସେହି କଳ୍ପ ବଟ ପାଖରେ ଅଛନ୍ତି

ବଟ ଗଣେଶ, (ବାଟ)ମଙ୍ଗଳା

ବଟ କୃଷ୍ଣ ପୁଣି ବଟ ଜଗନ୍ନାଥ

ବଟ ନାରାୟଣ ସାହା ।


ମନରେ ମନାସୀ ପ୍ରଭୁ ଜଗନ୍ନାଥ

ବାନ୍ଧିଲେ ସଂକଳ୍ପ ସୂତ୍ର

ଅଚିରେ ପୂରଣ ହୁଏ ମନସ୍କାମ

ଏତ କଳ୍ପ ବଟ ମନ୍ତ୍ର।


ଯୁଗ ପରେ ଯୁଗ ହୁଏ ପ୍ରବାହିତ

ସୃଷ୍ଟି ହେଇଥାଏ ଧ୍ଵଂସ

ତଥାପି ବିଲୟ ହୁଏନି ଯାହାର

ଲେଖି ଅଛି ଇତିହାସ।


ଅଜସ୍ର ମହିମା କେ ବର୍ଣ୍ଣିଵ ତାର

ସେତ ସ୍ଵୟଂ ମହାବାହୁ

ଯାହାର ପରଶେ ଦୂରୀଭୂତ ହୁଏ

ସମସ୍ତ ପାପର ଦାଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract