STORYMIRROR

Geetanjali Prusty

Action

4  

Geetanjali Prusty

Action

ଶ୍ରୀକ୍ଷେତ୍ର

ଶ୍ରୀକ୍ଷେତ୍ର

2 mins
37


ପୁଣ୍ୟ ଏ ଉତ୍କଳେ ମହୋଦଧି କୂଳେ

ରହିଅଛି ଭବ୍ୟ ଧାମ

ମୋ ମାଟିର ଗର୍ବ ଜଗତ ବିଖ୍ୟାତ

ଶ୍ରୀକ୍ଷେତ୍ର ଯାହାର ନାମ ll


ଯା'ର ପରିଚୟ ବିଦେଶେ ବାଢ଼ୁଛୁ

ଗରବେ ଓଡ଼ିଆ ବୋଲି

ସେଇ ଶ୍ରୀକ୍ଷେତ୍ରର ଶରଧା ବାଲିରୁ

ମଥାରେ ଦିଏ ମୁଁ ବୋଳି ll


ମହାଲକ୍ଷ୍ମୀଙ୍କର ଆବାସ ସ୍ଥଳୀ ସେ

ଶ୍ରୀକ୍ଷେତ୍ର ସେ ମହାକ୍ଷେତ୍ର

ସେ କ୍ଷେତ୍ରରେ ସବୁ ବଡ଼ ଠାରୁ ବଡ଼

ମହିମା ବଡ଼ ବିଚିତ୍ର ll


ପୁଣ୍ୟ ଦେବାଳୟ ଶିରିମନ୍ଦିରରେ

ଭାଇ ଭଉଣୀଙ୍କ ବାସ

ରତ୍ନ ସିଂହାସନେ ଚତୁର୍ଦ୍ଧା ମୂରତି

ମୁଖରେ ଖେଳାନ୍ତି ହସ ll


ଜଗତର ନାଥ ଜଗନ୍ନାଥ ବୋଲି

ଜଗତେ ପଡୁଛି ହୁରି

ଡାକନ୍ତି ଭକତେ ଆକୁଳ ଅନ୍ତରେ

ଭାବ ଭକ୍ତି ହୃଦେ ଧରି ll


ହାତ ଟେକି ଦେଇ ଡାକୁଛି ଠାକୁରେ

ସ୍ଥାନ ଦିଅ ଶ୍ରୀଚରଣେ

ଦିଅ ଗତି ମୁକ୍ତି ଆହେ ଲକ୍ଷ୍ମୀ ପତି

ରକ୍ଷା କର ଦୀନ ଜନେ ll


ଶ୍ରୀକ୍ଷେତ୍ରରେ ରହି ଲଗାଅ ହୁନ୍ଦର

ବାର ମାସେ ତେର ଯାତ

ତୁମ ବଡ଼ ଦାଣ୍ଡେ ଶ୍ରୀଗୁଣ୍ଡିଚା ଦିନ

ଶ୍ରଦ୍ଧାଳୁ ହୁଅନ୍ତି ରୁଣ୍ଡ ll


ନୟନରୁ ନୀର ବହି ପଡ଼େ ଧାର

ପ୍ରାଣ ହୁଏ ପୁଲକିତ

ଲକ୍ଷେ ସୁଷମାକୁ ନିନ୍ଦିତ ସୌନ୍ଦର୍ଯ୍ୟ

ରଥ ପରେ ବିରାଜିତ ll


ସେଇ ଶ୍ରୀକ୍ଷେତ୍ରର ମାଟିକୁ ଜୁହାର

ପତିକୁ ଜୁହାର ମୋର

ରଖିଲେ ରଖିବ ମାରିଲେ ମାରିବ

ଆହେ ପ୍ରଭୁ ଚକ୍ରଧର ll


ତୁମ ବିନା ପ୍ରଭୁ ଆଉ କିଏ ଅଛି

ଶ୍ରେଷ୍ଠ ବୋଲି ମୋର ବନ୍ଧୁ

ତୁମରି ବନ୍ଧନେ ନିଜକୁ ସମର୍ପି

ପାରି ହେବି ଭବ ସିନ୍ଧୁ ll


ପବିତ୍ର ସେ ଧାମେ ସୂଚ୍ୟଗ୍ରେ ମେଦିନୀ

ଦିଅନ୍ତେକି ସଖା ମୋତେ

ଚିର ଦିନ ପାଇଁ ରହନ୍ତି କୃତଜ୍ଞ

ବଞ୍ଚିଥିବା ଯାଏ ମର୍ତ୍ତ୍ୟେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action