ଭାଇର ହାତେ ଭଉଣୀର ରାକ୍ଷୀ
ଭାଇର ହାତେ ଭଉଣୀର ରାକ୍ଷୀ
ଭବ ସଂସାରରେ ଭାଇ ଭଉଣୀ ବେନି
ଅର୍ଜିଲେ ସୁନାମ ଖ୍ୟାତି ଗର୍ବ କରେ ଅବନୀ
ଅନାବିଳ ଅତୁଟ ପ୍ରେମେ ଦୁହେଁ ଥାଆନ୍ତି ରହି
ଜଣେ ଜଣକ ପାଇଁ ଦୁଃଖ କଷ୍ଟ ଯାଏ ସହି
ଭାଇ ଭଉଣୀର ପୂରଣ କରିଦିଏ ଆଶା
ପରସ୍ପର ମଧ୍ୟେ ଥାଏ ବିଶ୍ଵାସ ଭରସା
ଭଉଣୀ ଭାଇ ପାଶେ ହୁଏ ଅତି ଅଲିଅଳି
ଫୁଲ ପରି ହସୁଥାଏ ତାର ଶରଧା ଢ଼ାଳି
ସହି ପାରେନା ଭାଇ ଭଉଣୀର ଦୁଃଖ ଦେଖି
ସୁରକ୍ଷା ଦିଏ ହୃଦୟରେ ତାର ସରାଗ ରଖି
ଭାଇ ଭଉଣୀର ସଂପର୍କ ଥାଏ ଅଛିହ୍ନ
କେହି କାହାକୁ କେବେ ମଣନ୍ତି ନାହିଁ ଭିନ୍ନ
ମାଆ ବାପାଙ୍କ କୋଳେ ଜନ୍ମି ଦିଅନ୍ତି ଆନନ୍ଦ
ହୋଇ ଯେହ୍ନେ ଆକାଶର ସୂର୍ଯ୍ୟ ଆଉ ଚାନ୍ଦ
ତାଙ୍କ ପ୍ରତିଭାର ବିକାଶ ପ୍ରକାଶ ନିମନ୍ତେ
ମାଆ ବାପା ଶ୍ରମ କରନ୍ତି ପାରୁ ପର୍ଯ୍ୟନ୍ତେ
ତାଙ୍କ ଆଦର୍ଶକୁ ଭାଇ ଭଉଣୀ ମାନି
ପରିବାରର ଯଶ ଗୌରବ ଆଣନ୍ତି ବେନି
ସାମାଜିକ ସଂସ୍କୃତି ପରମ୍ପରାକୁ ବଜାଇ ରଖି
ଗହ୍ମା ପୁନେଇଁ ଆସେ ହାତେ ଧରି ରାକ୍ଷୀ
ଭଉଣୀ ସୁଭଦ୍ରା ଦେବୀ ଜଗା ବଳିଆଙ୍କ ହାତେ
ବାନ୍ଧି ଦିଅନ୍ତି ରାକ୍ଷୀ ଅନନ୍ୟ ତା' ଜଗତେ
ସବୁ ଭଉଣୀ ଭାଇ ହାତରେ ବାନ୍ଧନ୍ତି ରାକ୍ଷୀ
ଦୁନିଆଁ ପ୍ରଶଂସା କରେ ତାଙ୍କ ଅନୁରାଗ ଦେଖି
ଭାଇ ଭଉଣୀକୁ ଦେଇଥାଏ ସଦା ଅଭୟ
ସୁଖ ଆସୁ ଅବା ଆସୁ ଦୁଃଖ ରହିଥାଏ ସଦୟ
ସାରା ସଂସାର ପରସ୍ପରର ବଦାନ୍ୟତା ଦେଖି
ଦେଇଥାଏ ଧନ୍ୟବାଦ ତାଙ୍କର ସମ୍ମାନ ରଖି
ଚମକେ ଭାଇର ହାତରେ ଭଉଣୀ ରାକ୍ଷୀ
ହୋଇ ରହେ ସ୍ନେହ ମମତାର ଅଲିଭା ସାକ୍ଷୀ।
