ହସମୁଖି ମିକି
ହସମୁଖି ମିକି
ମିକି ବୋଲି ଝିଅଟିଏ
ସବୁବେଳେ ହସୁଥାଏ ,
ବାପା, ମାଆ ଗେହ୍ଲା ସିଏ
ଜେଜି କିନ୍ତୁ ରାଗୁଥାଏ ।
କହେ ତୁହି ଝିଅ ପିଲା
ଏତେ କାହିଁ ହସୁ ଭଲା ,
ସବୁବେଳେ ଦାନ୍ତ କେଲା
ଭଲ ନୁହେଁ ଝିଅ ପିଲା ।
ଆଇ କହେ ସୁନା ଝିଅ
ମିକି ପରି କିଏ କୁହ ?
ହସ ହସ ତାର ମୁହଁ
ତାର ସରି କେହି ନୁହଁ ।
ଯେଉଁ ଝିଅ ହସିଦିଏ
ଭଙ୍ଗା ଘର ଯୋଡେ ସିଏ ,
ସବୁବେଳେ କାନ୍ଦେ ଯିଏ
ଜାଣ ଘରଭାଙ୍ଗି ଟିଏ ।
ମିକି ଧୀରେ ବଡ଼ ହେଲା
ବାହାଘର ହୋଇଗଲା ,
ଶାଶୁ ଘରେ ପାଦଦେଲା
ସମସ୍ତଙ୍କ ଆଗ ବୋଲା ।
ମିକି ଏ'ଟା,ସେ'ଟା କର
ବରାଦ ତ ସଭିଙ୍କର ,
ଦେଖି ସବୁ ମିକି ବର
ମନରେ ପ୍ରଶ୍ନ ହଜାର ।
ବର ପଚାରିଲା ଦିନେ
ସବୁବେଳେ ହସ ତୁମେ ,
ସବୁକଥା ଶୁଣି କାନେ
ଦୁଃଖ ନାହିଁ ତୁମ ମନେ ।
ଭାଗ୍ୟବାନ ଅଟେ ମୁହିଁ
ତୁମ ପରି ପତ୍ନୀ ପାଇ ,
ଘର ଆମ ହସୁଥାଇ
ତୁମ ହସ ମୁଖ ପାଇଁ ।
ଏମିତି ବର୍ଷ ବିତିଲା
ମିକି ପୁଣି ମାଆ ହେଲା ,
ତାଙ୍କୁ ହସି ବଡ଼ କଲା
ଘର ତା'ର ହସୁଥିଲା ।
ପିଲା ସବୁ ବାହା ହେଲେ
ବିଦେଶକୁ ଚାଲିଗଲେ ,
ଶାଶୁ, ଶଶୁର ମରିଲେ
ମା ,ବାପା ବି ଚାଲିଗଲେ ।
ପିଲା ମାନେ ଆସିଲେନି
ଫୋନ୍ ମଧ୍ଯ କରିଲେନି ,
ମାଆ କଥା ଶୁଣିଲେନି
କହିଦେଲେ ଆସିବେନି ।
ସବୁ କଷ୍ଟ ସହି ମିକି
ସ୍ଵାମୀଙ୍କ କଥା ଭାବିକି ,
କାମ କରେ ସେ ହସିକି
ଭିତରେ ଦୁଃଖେ ଭାସିକି ।
ଦିନେ ସକାଳେ ଦେଖିଲା
ସ୍ଵାମୀକୁ ମୃତ ପାଇଲା ,
କି ହେଲା ବୋଲି ଭାବିଲା
ଛାତିରେ ଲୋଟି ପଡ଼ିଲା ।
ଦୁଇ ଦିନ ବିତିଗଲା
ଗନ୍ଧ ଉତ୍କଟ ହୋଇଲା ,
ଆଖ ପାଖ ବ୍ୟାପି ଗଲା
ଖବର ପୋଲିସ ପାଇଲା ।
କବାଟ ଭାଙ୍ଗି ଦେଖିଲେ
ମୃତ ଦମ୍ପତି ପାଇଲେ ,
ଦେଖି ଅବାକ୍ ହୋଇଲେ
ମୁଁହ ଚାହାଁ ଚୁହିଁ ହେଲେ ।
ପ୍ରାଣବାୟୁ ଗଲାବେଳେ
ମିକି ଦୁଃଖ ନାହିଁ ତିଳେ ,
ଶୋଇ ସାଥୀ ଛାତି ତଳେ
ହସିଛି ସେ ଶେଷ ବେଳେ ।
ଶେଷ ହସ ହସି ଦେଇ
ଦୁଃଖ ସାଗରେ ଭସାଇ ,
ପାଖ ପଡ଼ିଶା କହଇ
ଚାନ୍ଦରେ ମିକି ହସଇ ।
ମିକି ର ଏହି କାହାଣୀ
ଶୁଣ ମୋ ଭାଇ ଭଉଣୀ ,
ଚାନ୍ଦରେ ଭରା ରୋଷଣୀ
ମନେ ପଡ଼େ ମିକି ରାଣୀ ।
