STORYMIRROR

Pranati Panda

Inspirational Others

4.5  

Pranati Panda

Inspirational Others

ତା' ବିହୁନେ

ତା' ବିହୁନେ

1 min
25

 ବିଭୁ ପ୍ରେମ ଜାଣ ଅମୃତ ସମାନ
 ଭବ ମାୟା ଦୁଃଖ ନାଶନ,
ସଚ୍ଚା ପ୍ରେମ ବର୍ଣ୍ଣ ମହା ଭାବ ପୂର୍ଣ୍ଣ
 ଶାଶ୍ବତ ସେ ତ ଚିରନ୍ତନ।

 ତନୁ ଅଗଣାକୁ ମହକାଇ ଦେଇ
 ବାସଇ ପ୍ରୀତିର ଚନ୍ଦନ,
ସେ ତ ଏମିତିକା ଅସରା ଆଶାର
 ଆସେ ସେ ସଜେଇ ସପନ।

 ଫୁଲ ଫୁଟା ମଧୁ ଲଗନରେ ଝୁମେ
 ନାମ ରସ ନେଲେ ଏ ମନ,
କହଲୋ ସଜନୀ ଲୁଚାଇ ହୁଏ କି
 ଦିବ୍ୟ ସ୍ପର୍ଶ ଭରା ବନ୍ଧନ ।

 ଅଦର୍ଶନେ ଦିନେ ଯୁଗେ ହୁଏ ମନେ
 ଉଦାସେ କଟଇ ସେ ଦିନ,
ଶୟନେ ସପନେ ଅବା ଜାଗରଣେ
ଉଚ୍ଚାଟ ହୁଅଇ ଏ ମନ ।

 ଭୋକ ହୁଏ ନାହିଁ ଶୋଷ ହୁଏ ନାହିଁ
 ସୁମରି ସୁମରି ଶ୍ରୀହୀନ,
ଅନ୍ନ ଜଳ ସବୁ ଲାଗେ ଖାଲି ପିତା
 ଭଲ ନଲାଗେ ଏ ଜୀବନ।

 ନୟନ ଯୁଗଳୁ ବହି ଯାଏ ଅଶ୍ରୁ
 ଭାବ ରାଜ୍ୟେ ଥାଏ ଏ ମନ,
ଅନ୍ତରେ ସର୍ବଦା ନାମ ଜପୁଥାଏ
 ଭକ୍ତିରେ ହେବାକୁ ବିଲୀନ।

 ବିଭୁର ଆକାର କେତେ ଯେ ପ୍ରକାର
 କେ' କରି ପାରିବ ବୟାନ,
ବିଭୁ ପ୍ରେମ ଜାଣ ଅମୃତ ସମାନ
 ହରେ ମାୟା ପୂର୍ଣ୍ଣ ବନ୍ଧନ।

 ପ୍ରେମ ହିଁ ସୁନ୍ଦର ପ୍ରେମ ହିଁ ଜୀବନ
 ପ୍ରେମମୟ ମୋ ଭଗବାନ,
ମୋ ମଣି କାଞ୍ଚନ ମୋର ଭଗବାନ
 ସେହି ମୋ ଅମୃତ ବନ୍ଧନ ।

 ସେହି ମୋ ଜୀବନ ଆହ୍ଲାଦିନୀ ସ୍ବପ୍ନ
 ସେହି ମୋର ଦୁଃଖ ନାଶନ,
ସେ ମୋ ଦିବ୍ୟଜ୍ଞାନ ମୋର ଅଭିମାନ
 ତା' ବିହୁନେ ଶୂନ୍ୟ ଶ୍ମଶାନ.. !

— ପ୍ରଣତି ପଣ୍ଡା
 (ଭୁବନେଶ୍ବର)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational