STORYMIRROR

Pranati Panda

Tragedy

4.5  

Pranati Panda

Tragedy

ଭଗ୍ନ ବୀଣାର ଛିନ୍ନ ସ୍ୱର

ଭଗ୍ନ ବୀଣାର ଛିନ୍ନ ସ୍ୱର

1 min
27

*#ଭଗ୍ନ_ବୀଣାର_ଛିନ୍ନସ୍ୱର#*

 ଭଗ୍ନ ବୀଣାର ଛିନ୍ନ ତାର ସ୍ୱରରେ
 ଅବୁଝା ରାଗିଣୀ ଯେତେ,
ଇତି ତାର ନାହିଁ ରାତିଯିବ ପାହି
ଅକୁହା ବେଦନା କେତେ।

 କ୍ଷତ ଅନୁଭୁତି ମନ ମଇଲମେ
 କିଛି କଥା ବ୍ୟଥା ନେଇ,
ଥର ଥର ଓଠେ ଗୁଞ୍ଜରୀ ଉଠେ
 ଶୁଷ୍କ ନୀରବତା ଛାଇ।

 ମସୃଣ ଏଇ ଯେ, ଦେହ ବିଦେହର
ମଝି ପାହାଚରେ ବସି,
ଅକଷା ଗଣିତ ହୃଦୟ ସିଲଟେ
କେତେ ଯାଇଅଛି କଷି।

 ଅବୁଝା ସଙ୍ଗୀତ ଜୀବନର ରାଗ
 ଅସ୍ପଷ୍ଟ ଯେ ଶୁଭୁଥିବ,
ଭାବର ଲେଖନୀ ଶିଥିଳ ପଙ୍କିଳ
କାଳିମାରେ ଭରିଯିବ।

 ଜନମୁ ମରଣ ମଲା ନଈ ଧାରେ
 ଅଲୋଡା ତୁଠ ପଥର,
ପାହାନ୍ତି ଫୁକିଆ ଗୁମାନ କରିଛି
ବେସୁରା କୋଇଲି ସୁର।

 ଦଗାଦିଆ ସେଇ ଦରଦୀ ଯେ ବନ୍ଧୁ
ଶବାଧାରେ ପୁଷ୍ପ ଗୁଛେ,
ଫଗୁଣର ଫଗୁ ମୁହେଁ ମାଖି ଦେଇ
 ମୋ କବିତା ପଛେ ପଛେ।

 ଶ୍ମଶାନ ଜୁଇରେ ଅର୍ଦ୍ଧଦଗ୍ଧ ମୋର
ମନର ମୁକୁର ତଳେ,
ଗୁଣୁ ଗୁଣୁ ଗାଇ ଅବୁଝା ମୋ ଗୀତି
 ଗାଉଥିବେ ବେଳେ ଵେଳେ।

 ଛ ଖଣ୍ଡ କାଠର ଫୁଲ ସବାରୀ ମୋ
 ଚାରି ପଥର ଭିତରେ,
ଜୀବନ ଜ୍ବଳନ ପୀଡା ଭୋଗୁଥିବ
ମୋ କବିତା ସୁରେ ସୁରେ।

 ହେବି ବୋଲି କିଛି ହୋଇ ପାରିଲିନି
 ଗ୍ଳାନିରେ ପାଉଁଶ ହେବି,
ମୋ ଜୁଇ ଧୂଆଁରେ ଘୁରି ଘୁରି ଥରେ
କାହାର ମନ ଛୁଇଁବି।

 ଦୁଇ ଧାର ହୋଇ ମୋ ଭିତରୁ ବୋହି
ଚାଲୁଥିବ ଗୀତି ଧାର,
କବୀଟିଏ ସିନା ହୋଇ ପାରିଲିନି
ହୋଇ କବିତାର ସୁର।

 ଗୁଣୁ ଗୁଣୁ ହୋଇ କିଏ ହେଲେ କା'ର
କଣ୍ଠେ ବସାଇ ମୋତେ,
ମୋ ଛାତି ତଳର ବେଦନା ବୁଝିବ
କେଉଁ ସୁରେ କେଉଁ ମତେ।

 ଛଳ ଛଳ ହୃଦେ ବାଢ଼ି ଦେଇଅଛି
 ମୋର ହୃଦୟର କଥା,
ତୁମ ଶ୍ରୀଚରଣେ ଶରଣ ଦେବ ମା'
ପଢ଼ିବ ମନର ବ୍ୟଥା।

 ଯୁଗେ ଯୁଗେ ପରା ଉଦ୍ଧାର କରିଛ
 ଯୋଡ ହସ୍ତେ କରେ ଅଳି ,
ବଡ଼ ଠାକୁରଙ୍କ ମାଆ ପରା ତୁମେ
 ଘେନ ମୋର ପୁଷ୍ପାଞ୍ଜଳି।🙏

 ପ୍ରଣତି ପଣ୍ଡା ( ଭୁବନେଶ୍ୱର)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy