ନିଦରେ
ନିଦରେ
ନିଦରେ
ଯେତେବେଳେ ସ୍ୱପ୍ନରେ
କି ସତରେ ବୋଧେ
ଦେହରୁ ଦେହୀ ହୋଇଯାଉଥିଲି
ଶରୀର ଛାଡ଼ି ଅଶରିରୀ ହେବାକୁ ଲାଗିଥିଲି
ଆଉ ସେତେବେଳେ ସମୟ ହେଇଥିବ
ଏଇ ରାତି ଗୋଟାଏ କି ଦୁଇଟା ଅଧେ ।
ନିଦରେ
ଭାବୁଥିଲି ମୁଁ
ମୋ ପରିଜନ ଏବେ କଣ କରିବେ
ଯେତେବେଳେ ମୋ ଚାଲିଯିବା ଖବର ପାଇବେ
କଣ ସେମାନେ ଆଉ ଏମିତି ନିଶ୍ଚିନ୍ତ ହୋଇ
ଶାନ୍ତିରେ ଟିକେ ଶୋଇ ପାରିବେ
ନା ମୋ ବିୟୋଗରେ ସେମାନଙ୍କ ନିଦ ହଜେଇ ଦେବେ ।
ନିଦରେ
କିନ୍ତୁ ମୋ ଚିହ୍ନାଲୋକମାନେ
ମୋ ପରିଜନ ବନ୍ଧୁ ବାନ୍ଧବମାନେ
ମରଣତ୍ତୋର ଶ୍ରାଦ୍ଧ ପରେ ଆଶ୍ବସ୍ତ ହେଲେ
ଆଉ ଅପରିଚିତ ଲୋକେ ମୋ ହଠାତ୍ ଚାଲିଯିବା ଶୁଣି
କେଜାଣି କେମିତି ଆଉ କଣ ପାଇଁ
ନିଜ ସୁଖନିଦ୍ରା ଟିକକ ହଜେଇ ଦେଲେ ।
ନିଦରେ
ଏଥର କିନ୍ତୁ ହଜିଗଲା ନିଦ
ସେହି ଅସହିଷ୍ଟ୍ନୁ ଆତ୍ମୀୟମାନଙ୍କର
ଯେତେବେଳେ ମୁଁ ପୁଣି ଦେହୀରୁ ଦେହ ହେଲି
ସକାଳୁ ଉଠି ନିତ୍ୟକର୍ମ କରିବାକୁ ଲାଗିଲି
ଅଜଣା ଲୋକେ ଏଥର ଶାନ୍ତିରେ ନିଜ କାମ କରି ପାରିଲେ
ହେଲେ ଆପଣାର କହିଥିବା ଲୋକେ
ରାତିସାରା ଉଜାଗର ହୋଇଗଲେ ।
