STORYMIRROR

Sambit Srikumar

Abstract Tragedy Inspirational

5  

Sambit Srikumar

Abstract Tragedy Inspirational

କୃଷକର ଆତ୍ମକାହାଣୀ

କୃଷକର ଆତ୍ମକାହାଣୀ

1 min
596

ମୁହିଁ ଯେ ଅଭାଗା କୃଷକ ଏଇ ମହାନ ଭାରତବର୍ଷର

କହୁଅଛି ଯନ୍ତ୍ରଣା ଜର୍ଜରିତ ଅକୁହା କାହାଣୀ ଆପଣାର

ପ୍ରାରବ୍ଧର ପ୍ରତିଫଳେ ଚାଷୀକୂଳେ ଜାତ ହୋଇଲା କି ମୋର

ସେଇ ଲାଗି ଭୋଗ କରୁଛି ନାନାଦି କଷଣ ନିତି ବାରମ୍ବାର ।

"ଚାଷ ଅଛି ଯାହାର କି ଆନନ୍ଦ ସତେ ତାହାର"

ଆଉ ପାଏନି ଶୋଭା ଆଜି ଆମ ମୁହଁରେ କାହାର

ଚିର ଅଭାବୀ ତେଲ ଲୁଣର ସଂସାର ତ ମୋହର

ଦାରିଦ୍ର୍ୟ ସାଥିରେ ସଦା ରଚୁଥାଏ ମୁହିଁ ଅଭିସାର ।

ମାଟିର ମଣିଷ ମୁହିଁ ମାଟି ସହ ହୋଇ ଏକାକାର

ଲଢି ଲଢି ବନ୍ଯା ବାତ୍ଯା ମରୁଡ଼ି ସହିତ ନିରନ୍ତର

ବର୍ଷ ସାରା ଚଷୁଥାଏ ଜମି ଫଳାଇ ଫସଲ ସୁନାର

ମୂଲ ମିଳିବା ବେଳକୁ ସବୁ ଯେ ଫାଟଇ ଫସର ।

ଘୋଟକ ସମ ବଢ଼ୁଥାଏ ସାହୁକାର ଖାତାରେ କଳନ୍ତର

ବନ୍ଧକ ପଡିଛି ତାହା ପାଶେ ମୋର ଜମି ଘର ଦ୍ବାର

ଫସଲ ବିକ୍ରିରେ ହାନିଲାଭ ମୁଁ କରି ପାରେନି ବିଚାର

ଦୁର୍ଭାଗ୍ଯ ଅଟଇ ମୋର ଆଜନ୍ମରୁ ବିଶ୍ବସ୍ତ ସହଚର ।

ମୋ ଶାଗୁଆ ଧାନ କ୍ଷେତରେ ପଶିଛି ପୁଞ୍ଜି ଐରାବତ

ରହିଛି ଲୋଲୁପ ନଜର କରିବାକୁ ମୋର ଭୂମି ହସ୍ତଗତ

କଳ ବଳ ଛଳ କୌଶଳେ ଲୁଟିନେଇ ମୋ ମାନମହତ

ବଡ଼ଦାଣ୍ଡେ ଠିଆ କରାଇବାକୁ ସଭିଏଁ ଶତତ ଉଦ୍ଯତ ।

ପ୍ରମାଦେ ମତ୍ତ ହସ୍ତୀକୁ ଘଉଡାଇବାକୁ କରିଲି ବଜ୍ର ଶପଥ

ବାଜା ବାଣ ରୋଷଣୀରେ ଜନପଦେ ରାଜପଥ କଲି ଅବରୋଧ

ନିଜ ଅଧିକାର ପାଇଁ ଲଢିବା ହୋଇଲା କି ମୋର ଅପରାଧ

ଦେଶଦ୍ରୋହୀ ଆତଙ୍କୀ ନାମେ ଶୁଣିଲି ଯେ କେତେ ଅପବାଦ ।

ମୋର ଦୃଢ଼ ମନୋବଳ ପାଶେ ସରକାର କଲେ ମଥାନତ

ହଟାଇଲେ କଳା ଅଧ୍ୟାଦେଶ କ୍ଷମା ଯାଚନା କରିଣ ନିସର୍ତ୍ତ

କିଛି ବି ନୁହେଁ ଅସାଧ୍ୟ ଯେବେ ଆମେ ହେବା ଐକ୍ୟବଦ୍ଧ

ଆହେ ମହାଭାଗ! ମୁହିଁ ଅନ୍ନଦାତା ବାରେ ଶୁଣ ମୋର ଦୁଃଖ ।

ଲୋଡ଼ା ନାହିଁ ମୋର ଇନ୍ଦ୍ରପଦ ଅବା ବିଶ୍ବର ସକଳ ସମ୍ପଦ

ଝାଟିମାଟି ଘରେ ମୋ ପଖାଳ କଂସାରେ ମୋ ସୁଖ ନିହିତ

କରନାହିଁ ମୋତେ ଭୂମିହୀନ କରନି ଭିଟାମାଟିରୁ ବିତାଡ଼ିତ

କୃଷକ ମୁଁ କୃଷକର ପରିଚୟ ନେଇ ରହିଛି ସଗର୍ବେ ଜୀବିତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract