STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ସ୍କୁଲ୍

ସ୍କୁଲ୍

2 mins
411

ଏବେ ଏଇ ଉଦ୍ଧାମ ଯୌବନରେ
ଯେବେ ଯେବେ ମୋ ବାଲ୍ଯକାଳର
ବିଦ୍ୟାଳୟର ସଦର ରାସ୍ତା ଦେଇ ଯାତାୟାତ କରେ
ବିଦ୍ୟାଳୟର ପୁରୁଣା ଅଥଚ ସଶକ୍ତ ସଗର୍ବେ
ଦଣ୍ଡାୟମାନ ଐତିହାସିକ କୋଠା ଆଡ଼କୁ
ମୁଁ କଣେଇ କଣେଇ ଚାହେଁ ବାରେ!

ଅତୀତର ତମାମ ସ୍ମୃତିରାଜି
ମାନସପଟରେ ଭାସି ଉଠେ
ମୂହୁର୍ତ୍ତକରେ ଛାତି ରୁନ୍ଧି ହୋଇଯାଏ
ମନ ମସ୍ତିଷ୍କରେ ଉଦ୍ୱେଳନ ସୃଷ୍ଟି ହୁଏ
କଣ୍ଠ ବାଷ୍ପରୁଦ୍ଧ ହୋଇଯାଏ
ଆଖି ଛଳ ଛଳ ହୋଇଯାଏ
କେଇ ଟୋପା ଲୁହ ଝରିପଡ଼େ ଅଜଣାତରେ।

ମୋର ଏଇ ଅବସ୍ଥାକୁ ଦେଖି
ମୋ ପ୍ରିୟ ବିଦ୍ୟାଳୟ ମୋତେ ପଚାରେ,
କେମିତି ଅଛୁରେ ବଗୁଲିଆ?
ପିଲାବେଳେ ତ ମୋ ପାଖକୁ ଆସିବାକୁ
ନିତି ତୁ କାନ୍ଦୁଥିଲୁ ବହୁତ
କେତେ ବାହାନା କରୁଥିଲୁ ନ ଆସିବାକୁ
ମୋ ହତା ଭିତରର କଡ଼ା ଶୃଙ୍ଖଳା
ଗୁରୁ ଗୁରୁମାଙ୍କ ଅକପଟ ସ୍ନେହଭରା ଆକଟ
ୟୁନିଫର୍ମ ପିନ୍ଧି ତୁ ହୋଇଯାଉଥିଲୁ ଆକ୍ତାମାକ୍ତା
ପାଠ ପଢ଼ାର ଚାପରେ ପୁଣି ହୋଇ ଚାପଗ୍ରସ୍ତ
ମୋତେ କେତେ ନିନ୍ଦୁଥିଲୁ ସହପାଠୀଙ୍କ ସହ ଅବିରତ!

ଆଶା ଏବେ ବାହ୍ୟ ଦୁନିଆରେ ତୁ ଥିବୁ
ବେଶ୍ ସୁଖ ଶାନ୍ତି ସ୍ବାଛନ୍ଦ୍ୟ ସଂପ୍ରୀତିରେ
ସ୍ବାଧୀନ ହୋଇ ଜୀଉଁଥିବୁ ଜୀବନର ପ୍ରତିଟି କ୍ଷଣକୁ
ଶ୍ରେଣୀବାଦ ଭେଦାଭାବ ବାଛବିଚାର ଦୁଃଖ ଦୈନ୍ୟ
କିଛି ବି ନଥିବ ତୁ ଜୀଉଁଥିବା ସମାଜରେ
ମୁଦ୍ରାସ୍ଫୀତି ଅର୍ଥନୀତି ସାମାଜିକ ବ୍ୟବସ୍ଥା ସବୁଥିବ ତୋ ନିୟନ୍ତ୍ରଣରେ
ସ୍ବାଧୀନଚେତା ହୋଇ ତୁ ମଥାପାତି ନଥିବୁ କାହା ପାଖରେ
ନିଜେ ନିଜର ଶାସକ ଭାଗ୍ୟର ମାଲିକ ହୋଇ ସାଜିଥିବୁ ତୁ

ନିଶ୍ଚୟ ଏକାଙ୍ଗ ଚକ୍ରବର୍ତ୍ତୀ ସମ୍ରାଟ ଆପଣାର ଖିଆଲି ସାମ୍ରାଜ୍ୟରେ


ପାଠ୍ଯକ୍ରମ ଆଇନକାନୁନ କାଇଦାକଟକଣା ମାଲିମକଦ୍ଦମା
ଥାନା କଚେରୀ ଟିକସ ସନ୍ତ୍ରାସ କିଛିର ବି ଚାପ ତ ନଥିବ
ତୁ ଜୀଉଁଥିବା ତୋର ପରିକଳ୍ପିତ ନୂତନ ବିଶ୍ବରେ...

ଏତେ ସବୁ ଜିଜ୍ଞାସାରେ ମୁଁ ନିରୁତ୍ତର
ଅଗତ୍ୟା ବାଟ କାଟି ଚାଲିଯାଏ ମୋ' ଗନ୍ତବ୍ୟ ପଥରେ।

©ସମ୍ବିତ୍ ଶ୍ରୀକୁମାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract