ମୋ ଗାଆଁ
ମୋ ଗାଆଁ
ଆଖିରେ ନାଚେ ସରଗପୁର ଧରିଲେ ଯାର ନାଆଁ
ଜଳିଛି ଏଠି ଏନ୍ତୁଡି ମୋର , ଡାକିଛି କୁଆଁ କୁଆଁ,
ଏଇତ ମୋର ଗାଆଁ, ଜନମ ଭୂମି ମା
ମାଟିରୁ ତା'ର ଅମୃତ ପିଇ ପୁଷ୍ଟ ମୋହର ହିଆ
ବୁକୁ ରେ ଥାପି କଅଁଳ ପାଦ ଶିଖିଲି ହୋଇ ଠିଆ
ଚତୁର୍ପାର୍ଶ୍ଵ ରେ ଭରିଛି ରଙ୍ଗ ପ୍ରକୃତିରାଣୀ ଛୁଆଁ
ଦେହେ ଜଗାଏ ଅମାପ ବଳ ତା'ସୁଲୁସୁଲୁ ବାଆ
ଏଇତ ମୋର ଗାଆଁ.........
ଘରେଘରେ ତା' ବାରମାସ ରେ ତେର ପରବ ଥୁଆ
ଦଶ'ରା, ହୋଲି,ରଜ, ଦିବାଲି, ମକର, ଗହ୍ମାଡିଆଁ
ସକାଳ ହେଲେ ଚଷାପୁଅର ହଳ ଲଙ୍ଗଳ ବୁହା
ମୁଣ୍ଡ ଉପରେ ସୂରୁଜ ଦେଖି ହିଡେ ପଖାଳ ଖିଆ
ଏଇତ ମୋର ଗାଆଁ........
ନଈ ତୁଠରେ ମାଇପି ଭିଡ ବାସି ବସନ ଧୁଆ
ଅଠର ପାଠ ଆଲୋଚନାରେ ସଖ, ଦୁଃଖ ଦିଆ ନିଆ
ଗୋଧୂଳି ଲଗନେ ଗୋଷ୍ଠ ବାହୁଡା଼, ଗୁହାଳେ ଗାଈ ଠିଆ
ଖେଳରେ ବ୍ୟସ୍ତ ପିଲାଏ, କରି ଦାଣ୍ଡକୁ ଖେଳ ପଡିଆ
ଏଇତ ମୋର ଗାଆଁ.......
ସଞ୍ଜ ନଇଁଲେ ଆଳତି ବେଳେ ଦେଉଳେ ଦିଅଁଙ୍କୁ ଚାହାଁ
ଭାବ ଯୋଡିଲେ ଡାକ ଶୁଣନ୍ତି ବିପଦେ, ଆପଦେ ସାହା
ଟୁଙ୍ଗିରେ ବସି ନନା ମୁହଁରୁ ଭାଗବତ ରସ ପିଆ
କ୍ଷଣିକ ଲାଗି ଅରୁଚି ଲାଗେ ସଂସାର ମୋହ ମାୟା
ଏଇତ ମୋର ଗାଆଁ........
ଗ୍ରୀଷମେ ଆମ୍ବତୋଟାର ଛାଇ, ଶୀତରେ ଧୂନି ନିଆଁ
ବରଷା କାଳେ ବାଳକ ମେଳେ ଭରା ନଈକୁ ଡିଆଁ
ଶ୍ରେଣୀରୁ ଲୁଚି ପଡିଶା ଘର ବାଡିରୁ କୋଳି ଖିଆ
ଚାଟଶାଳୀର ମାଟି ଚଟାଣେ ପାଠର ମୂଳଦୁଆ
ଏଇତ ମୋର ଗାଆଁ.......
ତା' କୋଳ ଚିର ଈପ୍ସିତ ମୋର ଲୋଡା ନାହିଁ ଦୁନିଆ
ଏଇଠି ନେବି ଶେଷ ଆଶ୍ରୟ, ଜଳିବ ଜୁଇ ନିଆଁ
ଏଇତ ମୋର ଗାଆଁ......... ଜନମ ଭୂମି ମାଆ
------------/------------------/------------
ପ୍ରଦୀପ କୁମାର ପଣ୍ଡା
ଫୋନ୍-8895393345
ସାପ୍ତାହିକ କବିତା ପ୍ରତିଯୋଗିତା ନିମନ୍ତେ