STORYMIRROR

Bikhyat Bihari Mishra

Abstract Others

3  

Bikhyat Bihari Mishra

Abstract Others

କର୍ଣ୍ଣର ଆତ୍ମ କଥା

କର୍ଣ୍ଣର ଆତ୍ମ କଥା

1 min
13.7K


ପାଞ୍ଚାଳିଙ୍କୁ ମନ ଦେଇଥିଲି ସିନା

ବୁଝିଲେନି ମନକଥା

ସୂତ ପୁତ୍ର କହି ଦେଲେ ଅପମାନ

ମନେ ରହିଗଲା ବ୍ୟଥା ।।

ସଂସାର ଜାଣିଚି କୁନ୍ତେୟ ଅଟେ ମୁଁ

ତଥାପି ଯାରଜ କିଆଁ

ଦିନେ ଯିଏ ମତେ କରିନାହିଁ ଗେଲ

ସ୍ୱାର୍ଥ ପାଇଁ କହେ ମାଆ ।।

କଥା ଦେଲି ମୁହିଁ ମାତାଙ୍କୁ ଅବଶ୍ୟ

ରହିବେ ପଞ୍ଚୁ ପାଣ୍ଡବ

କର୍ଣ୍ଣ ମରୁ ଅବା ଅର୍ଜୁନ ବି ମରୁ

କିଆଁ ବିଚଳିତ ଭାଵ ??

ଗୁରୁ ଭକ୍ତି କାଳ ହେଲା ତ ମୋ ପାଇଁ

ପାଇଲି ମୁଁ ଅଭିଶାପ

ବ୍ରାହ୍ମଣ ବୋଲି ମୁଁ ପରିଚୟ ଦେଇ

ଶିଖିଲି ଵିଦ୍ୟା ଅମାପ ।।

ଗୁରୁ କଲେ କୋପ ଯୁଦ୍ଧ ବେଳେ ମୁହିଁ

ଭୁଲିଲି ଵିଦ୍ୟା ନିଜର

ସବୁଠାରେ ଦୋଷୀ ହୋଇଗଲି ସିନା

କିଛି ଦୋଷ ନାହିଁ ମୋର ।।

ଅବୁଝା ଚରିତ୍ର ହୋଇ ରହିଗଲି

ମାଆ ଭାଇ ପାଇଁ ମୁହିଁ

ମାନ ଗୋବିନ୍ଦ ଯେ ପରିଚୟ ଦେଲେ

ଅଙ୍ଗରାଜ ବୋଲି କହି ।।

ଯେତେବେଳେ ମତେ କହିଛି ଦୁନିଆଁ

ସନ୍ତାନ ମୁହିଁ ଅବୈଧ

ଗୁପ୍ତ ପ୍ରଣୟରେ ବଳି ପଡ଼ି ମୋର

ଅସ୍ତିତ୍ଵର ହେଲା ବଧ ।।

ଛଳ ବଳେ ମୋର ଲୁଟିଲ କୁଣ୍ଡଳ

ଭାବିଲ ହେବି କାଙ୍ଗାଳ

ସବୁ ଦେଇ ମୁହିଁ ହେଲି ମହାଦାନୀ

ସ୍ଵାଭିମାନ ମୋ ପ୍ରବଳ ।।

ସମାଜର ମତେ ଅଙ୍ଗୁଳି ନିର୍ଦ୍ଦେଶ

ତଥାପି କରିନି ଦୁଃଖ

ହେ ପରମ ପିତା ସୂର୍ଯ୍ୟ ଦେବ ମତେ

କନ୍ଦେଇ ପାଇଲ ସୁଖ ??

ସମାଜର ସେଇ ଅଭିଶପ୍ତ ଆଖ୍ୟା

ହୃଦୟ ଜାଳିଚି ମୋର

ତଥାପି ହିସାବ ରଖିନି କେବେ ମୋ

କିଏ ହୋଇଗଲେ ପର ।।

ବିଖ୍ୟାତ ବିହାରୀ ମିଶ୍ର, ଅନୁଗୁଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract